ନୂଆଦିଲ୍ଲୀ, ଅଗଷ୍ଟ ୧୬ (ଖବର ଓଡ଼ିଶା): ପୂର୍ବତନ ଭାରତୀୟ କ୍ରିକେଟର ଚେତନ ଚୌହାନ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଡନୀ ସଂକ୍ରମଣ ଯୋଗୁଁ ଶ୍ରୀ ଚୌହାନ ଗୁରୁତର ହେବାକୁ ତାଙ୍କୁ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଗତ ମାସ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ପରେ କରୋନାରୁ ସୁସ୍ଥ ହୋଇଥିଲେ ।
ଚେତନ ଚୌହାନ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଡିଡିସିଏର ସଭାପତି, ଉପସଭାପତି, ସଚିବ, ମୁଖ୍ୟ ଚୟନକର୍ତ୍ତା ଭାବେ କାମ କରିଥିଲେ । ଏପରିକି ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ଗସ୍ତ କାଳରେ ପରିଚାଳକ ଦାୟିତ୍ୱ ତୁଲାଇଥିଲେ ।
ଶ୍ରୀ ଚୌହାନ ୧୯୯୧ ଓ ୧୯୮୯ରେ ଉତ୍ତରପ୍ରଦେଶର ଆମୋରା ଲୋକସଭା ଆସନରୁ ବିଜୟୀ ହୋଇ ସାଂସଦ ହୋଇଥିଲେ । ସେ ୧୯୮୧ ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ୧୨ ବର୍ଷର କ୍ରିକେଟ ଜୀବନ ମଧ୍ୟରେ ସେ ୪୦ଟି ଟେଷ୍ଟ ମ୍ୟାଚ ଖେଳି ୨୦୮୪ ରନ ସଂଗ୍ରହ କରିଥିଲେ । ଏଥିରେ ୧୬ଟି ଅର୍ଦ୍ଧଶତକ ଏବଂ ୨ଟି ୱିକେଟ ସାମିଲ ଥିଲା ।