Sun. Mar 8th, 2026

ଗୁଣପୁର : ୩ଦିନ ପରେ ରାସ୍ତାରୁ ହଟିଲା ବିଶାଳ ପଥର

193 Views

ଗୁଣପୁର : ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ୩ ଦିନର କସରତ ପରେ ଫେରିଛି ସ୍ବାଭାବିକ ସ୍ଥିତି। ଆଜି ରାତିରୁ ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍‌ର ୩ଟି ପଞ୍ଚାୟତକୁ ଯାତାୟାତ ସ୍ବାଭାବିକ ହୋଇଛି।

ଲଘୁଚାପ ଜନିତ ଲଗାଣ ବର୍ଷାରେ ପୁଟାସିଂ ପଞ୍ଚାୟତ ଅନ୍ତର୍ଗତ ରିଜିଂତାଲ ନିକଟସ୍ଥ ପାହାଡ଼ରୁ ଗତ ବୁଧବାର ଦିନ ବିଳମ୍ବିତ ରାତିରେ ମାଟି ଅତଡ଼ା ସହ ଗୋଟିଏ ବିରାଟ ପଥର ଧସି ଯାଇଥିଲା। ସଂପୂର୍ଣ୍ଣ ରାସ୍ତାକୁ ପଥରଟି ଅବରୋଧ କରି ରଖିଥିବାରୁ ପୁଟାସିଂ, ଶଗଡ଼ା ଓ ଆବାଡ଼ା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ପ୍ରଶାସନର ଉଦ୍ୟମ ସତ୍ତ୍ବେ ପଥରଟି ଆଦୌ ଘୁଞ୍ଚୁ ନଥିଲା। ଅନ୍ୟପଟେ କୌଣସି ବିକଳ୍ପ ନଥିବାରୁ ଲୋକେ ଏହି ରାସ୍ତାରେ ଗତକାଲି ପର୍ଯ୍ୟନ୍ତ ବିପଦସଂକୁଳ ଅବସ୍ଥାରେ ଯାତାୟାତ କରୁଥିଲେ। ପ୍ରଶାସନ ପକ୍ଷରୁ ଆଜି ଯାତାୟାତା ସ୍ବାଭାବିକ କରିବାକୁ ଅସ୍ଥାୟୀ ରାସ୍ତା କରାଯାଇଛି।

ଆଜି ସଂଧ୍ୟାରେ ପଥରଟିକୁ କାଟି ଯଥାସମ୍ଭବ ଛୋଟ କରିବାକୁ ପ୍ରୟାସ କରିଥିଲେ। ଏହାପରେ ରାତି ପ୍ରାୟ ସାଢ଼େ ୭ଟାରେ ଦୁଇ ମେସିନ ଲଗାଇ ପଥରକୁ ରାସ୍ତା ମଝିରୁ ଗୋଟିଏ ପାର୍ଶ୍ବକୁ ଘୁଞ୍ଚାଇ ଦିଆଯାଇଛି। ରାସ୍ତାକୁ ସଫା କରିବା ପରେ ଆଜି ରାତିରୁ ହିଁ ଯାତାୟାତ ବ୍ୟବସ୍ଥାକୁ ସ୍ବାଭାବିକ କରାଯିବ ବୋଲି ସୂଚନା ମିଳିଛି।

By amfnews

Related Post