Wed. Dec 25th, 2024

ଗିଳିଦେଲେ ଠାକୁରଙ୍କ ସ˚ପତ୍ତି : ଜବରଦଖଲରେ ହଜାର ହଜାର ଏକର ଜମି

By amfnews Nov 18, 2019 #Featured
140 Views

ଭୁବନେଶ୍ବର : ଓଡ଼ିଶାରେ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ ଉନ୍ମୋଚିତ ହୋଇଛି। ସ˚ପତ୍ତି ଦଖଲର ନିଶା ଏଭଳି ମସଗୁଲ୍‌ କରିଛି ଯେ ସାଧାରଣ ଲୋକ ବା ରାଜ୍ୟ ସରକାରଙ୍କ ସ˚ପତ୍ତି କଥା ଦୂରେ ଥାଉ, ଖୋଦ୍‌ ଠାକୁରଙ୍କ ସ˚ପତ୍ତିକୁ ଗିଳି ହଜମ କରିଦେଲେଣି। ଗୋଟିଏ ଗୋଷ୍ଠୀ ହଜାର ହଜାର ଏକର ସ˚ପତ୍ତି ମାଡ଼ି ବସିଛନ୍ତି। ଆଉ ଗୋଟିଏ ଗୋଷ୍ଠୀ ରାଜଭାଗ ଗିଳିଦେଲେଣି।

ଚାଞ୍ଚଲ୍ୟକର କଥା ହେଲା, ଉଭୟ ଘଟଣା ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ନଜରରେ ଘଟୁଛି। କିନ୍ତୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଏମାନଙ୍କର ମଧ୍ୟ ଏଥିରେ ଭାଗିଦାରୀ କିଛି କମ୍ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ସ˚ପର୍କିତ ଅଡିଟ୍‌ ରିପୋର୍ଟରେ ସିଏଜି ଏଭଳି ସା˚ଘାତିକ ତଥ୍ୟ ଦେଇଥିଲେ। ଏବେ ସରକାରଙ୍କ ସୁପାରିସ କ୍ରମେ ରାଜ୍ୟର ୬୧ଟି ଧର୍ମାନୁଷ୍ଠାନର ଅଡିଟ୍ ଦାୟିତ୍ବ ରାଜ୍ୟ ସରକାର ଆକାଉଣ୍ଟାଣ୍ଟ ଜେନେରାଲଙ୍କ ହାତରେ ସମର୍ପିଛନ୍ତି, ସେଥିରୁ ମଧ୍ୟ ଆଖି ଖୋସି ଦେବା ଭଳି ତଥ୍ୟ ସାମ୍ନାକୁ ଆସୁଛି।

ଯେଉଁ ସବୁ ମନ୍ଦିର ଅଡିଟ୍ ଶେଷ ହେଲାଣି, ସେଠାରେ ଠାକୁରଙ୍କର େକାଟି କୋଟି ଟଙ୍କାର ସଂପତ୍ତି ହରିଲୁଟ୍ ହୋଇଥିବା ସୂଚନା ମିଳୁଛି। ବିଶେଷକରି ରାଜଧାନୀ ପୂଜା ସମିତି, ଭୁବନେଶ୍ବର ଶ୍ରୀରାମ ମନ୍ଦିର, ଘଟଗାଁ ତାରିଣୀ, ବାରିପଦା ଜଗନ୍ନାଥ ମନ୍ଦିର, ବ୍ରହ୍ମପୁର କନ୍ୟକ ପରମେଶ୍ବରୀ ମନ୍ଦିର ଓ ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ବ୍ୟାପକ ଆର୍ଥିକ ଅନିୟମିତତା ରହିଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି। ଏହାବାଦ୍ ଓଡ଼ିଶାର ବିଭିନ୍ନ ଗାଁରେ ବିଭିନ୍ନ ଦେବାଦେବୀଙ୍କ ନାମରେ ଶହ ଶହ ଏକର ସଂପତ୍ତି ରହିଛି। କିନ୍ତୁ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏସବୁ ଜମିକୁ ଚଳୁ କରିଦେଇଛନ୍ତି। ଏହାକୁ ଉଦ୍ଧାର ଉଦ୍ଧାର କରିବା ଲାଗି ଦେବୋତ୍ତର କମିସନ ଏଯାଏ ‌ଠୋସ୍ ଭାବେ କିଛି ବି ପଦକ୍ଷେପ ନେଇନାହାନ୍ତି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ବି ଥରେ ହିସାବ କରି ତଥ୍ୟ ରଖିବାକୁ ଚାହିଁନାହିଁ ଯେ ଦେବୋତ୍ତର ବିଭାଗ ଅଧୀନରେ ସମଗ୍ର ରାଜ୍ୟରେ କେତେ ଏକର ସଂପତ୍ତି ରହିଛି, ସେଥିରୁ କେତେ ଜବରଦଖଲରେ। କେତେ ସଂପତ୍ତିରୁ ରାଜଭାଗ ମିଳିବା ବନ୍ଦ ହୋଇଗଲାଣି। ଆଉ ସବୁଠାରୁ ବଡ଼ କଥା ହେଉଛି, ଏଥିରୁ କେତେ ସଂପତ୍ତିର ମୂଲ୍ୟ ଇତିମଧ୍ୟରେ ବହୁଗୁଣିତ ହୋଇଛି, ଅଥଚ ଗାଁ ଗଣ୍ଡାରେ ସକ୍ରିୟ ଥିବା ମାମଲତକାର ଗୋଷ୍ଠୀ ଓ ମାଫିଆ ଏହାକୁ ଜୋର ଜବରଦସ୍ତ କବ୍ଜା କରି ରଖିଛନ୍ତି।

ନିକଟରେ ରାଜ୍ୟ ସରକାରଙ୍କ ଗୋଟିଏ ନିଷ୍ପତ୍ତି ଏବେ ଏହି ପ୍ରସଙ୍ଗଟିକୁ ଚର୍ଚ୍ଚାକୁ ଆଣିଛି। ସରକାରଙ୍କ ସୁପାରିସ କ୍ରମେ ଦେବୋତ୍ତର ବିଭାଗ ଅଧୀନରେ ଥିବା ୬୧ ଧର୍ମାନୁଷ୍ଠାନର ଅଡିଟ୍‌ ଦାୟିତ୍ବ ଏଜି(ଆକାଉଣ୍ଟାଣ୍ଟ ଜେନେରାଲ) ନେଇଛନ୍ତି। ଏଥିମଧ୍ୟରୁ କେତେକ ମନ୍ଦିରର ଅଡିଟ୍‌ ଶେଷ ହୋଇସାରିଲାଣି। ଏଥିରେ କୋଟି କୋଟି ଟଙ୍କା‌ର ଠାକୁରଙ୍କ ସମ୍ପତ୍ତି ହରିଲୁଟ୍‌ ହୋଇଥିବା ଜଣାପଡ଼ିଛି। ରୋଜଗାର ଗିଳିଦେଇଛନ୍ତି, ଜମି ବି। ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ଦେବୋତ୍ତର ବିଭାଗ ଏହି ସବୁ ମନ୍ଦିରର ଅଡିଟ୍‌ କରୁଥିଲା। ଏସବୁ କାହିଁକି ଧରାପଡ଼ିନଥିଲା ନା ଧରାପଡିବା ପରେ ମିଳିମିଶି ଚାପି ଦେଇଥିଲେ? ଜିଲ୍ଲା ପ୍ରଶାସନର ଭୂମିକା ଏ େକ୍ଷତ୍ରରେ ନିର୍ବିବାଦୀୟ ରହିଛି ତ?

ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟ ସରକାରଙ୍କ ଦେ‌ବୋତ୍ତର ବିଭାଗ ଅଧୀନରେ ୧୭ ହଜାର ୪୭୨ ମନ୍ଦିର ଓ ୪୫୯ ମଠ ରହିଛି। ଟ୍ରଷ୍ଟ ବୋର୍ଡ ଜରିଆରେ ବିଭାଗ ଏହି ସବୁ ଧାର୍ମିକ ଅନୁଷ୍ଠାନକୁ ପରିଚାଳନା କରନ୍ତି। ବିଭିନ୍ନ ଉତ୍ସରୁ ଆସୁଥିବା ଆୟବ୍ୟୟ ଅଡିଟ୍‌ ଜରିଆରେ ତଦାରଖ କରାଯିବା କଥା। ହେଲେ ଏ ମଧ୍ୟରୁ ଅର୍ଦ୍ଧାଧିକ ମନ୍ଦିର ବା ଧାର୍ମିକ ଅନୁଷ୍ଠାନ ରହିଛି, ଯେଉଁଠାରେ ଟ୍ରଷ୍ଟ ବୋର୍ଡକୁ ନେଇ ବିବାଦ ରହିଛି। ଏଠାରେ ରାଜନୀତି ଧସେଇ ପଶିଛି। ଟ୍ରଷ୍ଟ ବୋର୍ଡକୁ ନେଇ ପାଖାପାଖି ୪ ହଜାର ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏବେ ବି ଶହ ଶହ ଅନୁଷ୍ଠାନ ବିନା ଟ୍ରଷ୍ଟ ବୋର୍ଡରେ ପରିଚାଳିତ ହେଉଛି। ଏହାକୁ ନେଇ ଗାଁର ଏକତା ନଷ୍ଟ ହୋଇ େଗାଷ୍ଠୀରେ ବିଭକ୍ତ ହେଲେଣି।

ତେବେ ଟ୍ରଷ୍ଟ ବୋର୍ଡ ହାତେଇବାକୁ େଲାକଙ୍କ ଭିତରେ ଯେତିକି ଆଗ୍ରହ ରହିଛି, ଠାକୁରଙ୍କର ଏକର ଏକର ସମ୍ପତ୍ତି ସୁରକ୍ଷା ଲାଗି ସେତିକି ଉତ୍ସାହ ନାହିଁ। ଠାକୁରମାନଙ୍କର ହଜାର ହଜାର ଏକର ସଂପତ୍ତି ଏବେ ଜବର ଦଖଲରେ ରହିଛି। ଏଥିମଧ୍ୟରୁ କେତେକ ସମ୍ପତ୍ତିକୁ ବିଭାଗ ଠାବ କରିପାରୁନାହିଁ। ଏହି ସମ୍ପତ୍ତିରୁ ଜବର ଦଖଲ ଉଚ୍ଛେଦ ପାଇଁ ଓଏଚ୍‌ଆରଇ ଆକ୍ଟ(ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ) ବଳରେ ଜିଲ୍ଲାପାଳମାନେ ଅଧିକୃତ ହୋଇଛନ୍ତି। କିଛି ଜିଲ୍ଲାପାଳମାନଙ୍କୁ ଦେବୋତ୍ତର କମିସନ ପକ୍ଷରୁ ଚିଠି ଲେଖାଯାଇଛି। ହେଲେ ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ଠାକୁରଙ୍କ ସମ୍ପତ୍ତି ହରିଲୁଟ୍‌ ଚାଲିଥିଲେ ମଧ୍ୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ। ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଦେବୋତ୍ତର କମିସନଙ୍କର ୩୯୯୦ଟି ଉଚ୍ଛେଦ ଆଦେଶ ପଡ଼ି ରହିଥିବା ସୂଚନା ମିଳିଛି। ରାଜ୍ୟ ସରକାର ମଧ୍ୟ ଥରୁଟିଏ ସମୀକ୍ଷା କରିବା ଅଥବା ତାଗିଦ କରିବା ନଜିର ନିକଟ ଅତୀତରେ ନାହିଁ।

ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ନେଇ ଯେଉଁ ଅଡିଟ୍‌ ହୋଇଥିଲା, ସେଥିରୁ ଜଣାପଡ଼ିଛି ଯେ ୯ ବର୍ଷରେ ଠାକୁରଙ୍କର ଆୟରୁ ୧୬ କୋଟି ୬୯ ଲକ୍ଷ ୫୫ ହଜାର ୩୭୦ ଟଙ୍କା କ୍ଷମତାର ଅପବ୍ୟବହାର ଓ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଖିଲାପ କରି ଖର୍ଚ୍ଚ କରାଯାଇଛି। ଏହି ଅର୍ଥ ଭରଣା ପାଇଁ ମଠକୁ ଆଦେଶ ହୋଇଥିଲେ ମଧ୍ୟ ସୁଫଳ ମିଳିନାହିଁ।

ନିକଟରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, ଆମିକସ କ୍ୟୁରିଙ୍କ ରିପୋର୍ଟ ଅନୁସାରେ, ମହାପ୍ରଭୁଙ୍କ ସଂପତ୍ତିର ପରିମାଣ ୬୦ ହଜାର ୪୧୮ ଏକର। ଏଥିରୁ ମାତ୍ର ୩୪ ହଜାର ୨୦୦ ଏକର ୯୭୬ ଡିସିମିଲ ଜମିର ରେକର୍ଡ ଅଫ୍ ରାଇଟ୍ସ ରହିଛି। ୬ ମାସ ମଧ୍ୟରେ ବାକି ଜମି ମହାପ୍ରଭୁଙ୍କ ନାମକୁ ଆଣିବା ଲାଗି କୋର୍ଟ ନିର୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦେଶକୁ ରାଜ୍ୟ ସରକାର କିଭଳି କାର୍ଯ୍ୟାନ୍ବୟନ କରିବେ,ତାହାକୁ ଅପେକ୍ଷା ରହିଛି।

କିନ୍ତୁ ଏଭଳି ପୃଷ୍ଠଭୂମିରେ ଶ୍ରୀମନ୍ଦିର ସଂପର୍କରେ ସିଏଜି ଯେଉଁ ଅଡିଟ୍ କରିଥିଲେ, ତାହାର ପୁଣି ଗୁରୁତ୍ବ ବଢ଼ିଛି। ସମ୍ଭବତଃ ଏହି ରିପୋର୍ଟ ଉପରେ ସରକାର ତିନି ବର୍ଷ ତଳୁ କାର୍ଯ୍ୟାନୁଷ୍ଠାନ ନେଇଥିଲେ, ଆଜି ଦିନରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଯୁକ୍ତି ଅଧିକ ପ୍ରଭାବୀ ହୋଇପାରିଥାନ୍ତା।

ଶ୍ରୀମନ୍ଦିର ସଂପର୍କରେ ଅଡିଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ମହାପ୍ରଭୁଙ୍କର ବୋଲି ଚିହ୍ନଟ ହୋଇଥିବା ୫୯ ହଜାର ୧୩୦ ଏକର ୯୩୮ ଡେସିମିଲ ଜମି ମଧ୍ୟରୁ ୨୮ ହଜାର ୭୧୮ ଏକର ୭୧୦ ଡେସିମିଲ ଅନ୍ୟମାନଙ୍କ ନାଁରେ ଅଛି, ଦଖଲରେ ବି। ଶହ ଶହ କୋଟି ଟଙ୍କା ମୂଲ୍ୟର ଏସବୁ ଜମିର ଆଜି ଦିନର ସ୍ଥିତି କ’ଣ ତାହା କାହାକୁ ମାଲୁମ୍‌ ନାହିଁ। ମହାପ୍ରଭୁଙ୍କ ଚିହ୍ନଟ ଜମି (୫୯ ହଜାର ୧୩୦ ଏକର ୯୩୮ ଡେସିମିଲ)ର ମାତ୍ର ୧୧% ଜମି ଅର୍ଥାତ୍‌ ୬୬୩୮ ଏକର ୭୮୩ ଡେସିମିଲ ଜମିରୁ ରାଜଭାଗ ଆଦାୟ ହେଉଛି। ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବରଗଡ଼,ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ସୋନପୁର, କେନ୍ଦୁଝର, ମୟୂରଭ˚ଜ, ସୁନ୍ଦରଗଡ଼ ଓ କଳାହାଣ୍ତି ଭଳି ୧୩ଟି ଜିଲ୍ଲାର ୧୪୪୮ ଏକର ୧୪୯ ଡେସିମିଲ ଜମିରୁ ରାଜଭାଗ ଆଦାୟ କରିବା ଲାଗି କେହି ଦାବି କରୁନାହାନ୍ତି। ସେହିଭଳି ଆନ୍ଧ୍ରପ୍ରଦେଶରେ ଥିବା ୨୦ ଏକର ୭୭୦ ଡେସିମିଲ ଜମିକୁ ବାଦ୍‌ ଦେଲେ ଅନ୍ୟ ପାଞ୍ଚଟି ରାଜ୍ୟରେ ଥିବା ପ୍ରାୟ ୩୯୫ ଏକର ୨୫୨ ଡେସିମିଲ ଜମିରୁ ରାଜଭାଗ ଆଦାୟ ହୋଇପାରୁନାହିଁ।

ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ବୟାନ କରୁଛି ଯେ ୨୦୦୯-୨୦୧୦ରୁ ୨୦୧୫-୧୬ ମଧ୍ୟରେ ୭ କୋଟି ୮୯ଲକ୍ଷ ଟଙ୍କା ରାଜଭାଗ ପ୍ରାପ୍ୟ ହେଉଥିଲା। ପୂର୍ବ ବକେୟାକୁ ମିଶାଇଲେ ଏହା ଆହୁରି ଅଧିକ ହେବ। କିନ୍ତୁ ଏହି ସମୟ ମଧ୍ୟରେ ଆଦାୟ ହୋଇଥିଲା ମାତ୍ର ୧ କୋଟି ୮୭ଲକ୍ଷ ୧୮ ହଜାର ଟଙ୍କା।

By amfnews

Related Post