Mon. Jun 9th, 2025

ଗାଡ଼ି ଚାଳକ ହୁସିଆର! କାଲିଠୁ ଭୁବନେଶ୍ୱରରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ନିୟମ

By amfnews Mar 21, 2020 #Featured
124 Views

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ନିୟମ। ବସ, ଟ୍ୟାକ୍ସି, ଅଟୋ ପାଇଁ ଲାଗୁ ହେବ ଏହି ନିୟମ। ତେବେ କାଲି ସହରରେ ଅଯୁଗ୍ମ ନମ୍ୱର ଗାଡ଼ି ଗଡ଼ିବ। ତା’ ପର ଦିନ କେବଳ ଯୁଗ୍ମ ନମ୍ବର ଗାଡ଼ି ଚଳାଚଳ କରିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେଶନ୍‌(ବିଏମସି) ସ୍ପଷ୍ଟ କରିଛି।

ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ନିୟମକୁ କଡ଼ାକଡ଼ି କରିଛି ବିଏମ୍‌ସି। ଜନସମାଗମକୁ ରୋକିବା ପାଇଁ ରାଜଧାନୀରେ ଶନିବାରଠାରୁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କରିଛି। ଏହା ଦ୍ୱାରା ରାସ୍ତା ଅଜଥା ଭିଡକୁ ନିୟନ୍ତ୍ରଣ କରିବା ସହିତ ପରିବେଶ ପ୍ରଦୂଷଣକୁ ରୋକାଯାଇପାରିବ। ଏହି ନିୟମ କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭେଇକିଲ୍ ପାଇଁ ଲାଗୁ ହେବ। ବସ୍, ଟାକ୍ସି, ଅଟୋ ପାଇଁ କେବଳ ଅଡ-ଇଭିନ ଫର୍ମାଟ ଲାଗୁ ହେବ। ତେବେ ପ୍ରାଇଭେଟ ଗାଡ଼ି ପାଇଁ ଏହା ଲାଗୁ ହେବନାହିଁ। ସରକାରୀ ଓ ଭଡ଼ା ଗାଡ଼ି ଓ ଜରୁରିକାଳୀନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡ଼ି ପାଇଁ ମଧ୍ୟ ଏହା ଲାଗୁ ହେବନାହିଁ ବୋଲି ବିଏମସି ସ୍ପଷ୍ଟ କରିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ବୋଲି ବିଏମସି ବିଜ୍ଞପ୍ତି ଜାରି କରିଛି। ତେବେ ଆଗରୁ ଦିଲ୍ଲୀ ପ୍ରଦୂଷଣକୁ ରୋକିବା ପାଇଁ ଏହି ଫର୍ମୁଲା ଲାଗୁ କରାଯାଇଥିଲା।

ସେହିପରି ଦୋକାନ ଗୁଡ଼ିକ ପାଇଁ କଟକଣା ଜାରି କରିଛି ବିଏମ୍‌ସି। ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ। ଗହଣା, ଇଲେକ୍ଟ୍ରୋନିକ୍ସ,  ଫର୍ଣ୍ଣିଚର ଦୋକାନ, ସବୁ ଗାଡ଼ି ଓ ସାଇକେଲ ସୋରୁମ, ସ୍ପୋର୍ଟସ ଦୋକାନ, ଜୋତା ଓ ବ୍ୟାଗ୍ ସୋରୁମ୍, ମାର୍ବଲ ଟାଇଲ ଦୋକାନ ବନ୍ଦ, ଘଣ୍ଟା ସୋ ରୁମ, ରଙ୍ଗ ଦୋକାନ, ବହି ଓ ମାଗାଜିନ ଦୋକାନ ବନ୍ଦ ରହିବ।

By amfnews

Related Post