Thu. Mar 12th, 2026

ଗାଈବନ୍ଧାକୁ ନେଇ ବଚସା : ବାପା ଠେଙ୍ଗାମାଡ଼ରେ ପୁଅ ମୃତ

149 Views

ପଡିଆ :  ଘରର ଗାଈ ବନ୍ଧାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ହୋଇଥିଲା ବଚସା। ଏଥିରେ ଉତ୍ତ୍ୟକ୍ତ ହୋଇଯାଇଥିଲେ ବାପା। ଏକ ଠେଙ୍ଗାରେ ମୁଣ୍ଡକୁ ଶକ୍ତ ଆଘାତ ଦେବାରୁ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିବାବେଳେ ଗ୍ରାମବାସୀ ହତ୍ୟାକାରୀଙ୍କୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ହତ୍ୟାକାରୀଙ୍କୁ ଗିରଫ କରିଛି। ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ନିଲିଗୁଡା ଗ୍ରାମରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସୂଚନା ଅନୁଯାୟୀ, ନିଜ ଘରର ଗାଈ ଗୁଡ଼ିକର ସଠିକ୍ ରକ୍ଷଣାବେକ୍ଷଣ କରୁନଥିବା ନେଇ ପୁରୁଣା ନିଲିଗୁଡା ଗ୍ରାମର ମୁକା ମାଡି ନିଜ ସାନ ପୁଅ ଇର୍ମା ମାଡ଼ିଙ୍କୁ ଗତକାଲି ରାତି ପ୍ରାୟ ୭ଟାରେ ତାଗିଦ୍‌ କରିଥିଲେ। ଏହାକୁ କେନ୍ଦ୍ରକରି ମୁକା ଓ ଇର୍ମାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ମୁକା ଉତ୍ତ୍ୟକ୍ତ ହୋଇ ନିକଟରେ ଥିବା ଏକ ଠେଙ୍ଗା ଦ୍ବାରା ଇର୍ମାଙ୍କ ମୁଣ୍ଡକୁ ଆଘାତ କରିଥିଲେ। ଏଥିଯୋଗୁଁ ଇର୍ମା ତଳେ ପଡ଼ି ଯାଇ ଛଟପଟ ହୋଇଥିଲେ ଏବଂ ଏହାର କିଛି ସମୟ ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏ ନେଇ ଖବର ପାଇବା ପରେ ଗ୍ରାମବାସୀ ହତ୍ୟାକାରୀ ମୁକାଙ୍କୁ କାବୁ କରି ରଖିଥିଲେ। ଆଜି ସକାଳେ ପରିବାର ଲୋକ ପଡିଆ ଥାନାରେ ଏତଲା ଦେବା ପରେ ଏସ୍ଆଇ ଚନ୍ଦ୍ରକାନ୍ତ ତାଣ୍ଡି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ କାଲିମେଳା ପଠାଇଥିଲେ। ଅନ୍ୟପଟେ ଗ୍ରାମବାସୀ ହତ୍ୟାକାରୀ ମୁକାଙ୍କୁ ଜିମାରେ ଦେବାପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏନେଇ ପଡିଆ ଥାନାରେ କେଶ୍ ନଂ-୪୪/୧୯ ଓ ଦଫା ୩୦୨ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି। ଅଭିଯୁକ୍ତ ମୁକା ମାଡ଼ିଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ଇର୍ମାଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।

By amfnews

Related Post