Sun. Nov 3rd, 2024

ଗାଁ ମଶାଣୀରେ ଶେଷ ନିଦ୍ରା ନେଲେ ସହିଦ ଓଡ଼ିଆ ଯବାନ ପ୍ରସନ୍ନ ସାହୁ

By amfnews Feb 17, 2019 #Featured
234 Views

ଭୁବନେଶ୍ୱର, ଫେବୃୟାରୀ ୧୭: ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ନିଜ ଜନ୍ମମାଟିର ମଶାଣୀରେ ଶନିବାର-ରବିବାର ରାତି ଶେଷ ନିଦ୍ରାରେ ଶୋଇଯାଇଛନ୍ତି । ଜଗତସିଂହପୁର ଜିଲ୍ଲାର ନାଉଁଗାଁ ବ୍ଲକ ଅନ୍ତର୍ଗତ ପାରିଶିଖର ଗାଁର ସହିଦ ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଗାର୍ଡ ଅଫ ଅନର ପରେ ତୋପ ସଲାମି ଦିଆଯାଇଥିଲା । ଏହା ପରେ ସହିଦ ଯବାନଙ୍କ ପୁଅ ଜଗନ ସାହୁ ମୁଖାଗ୍ନି ଦେଇଥିଲେ । ହଜାର ହଜାର ଲୋକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହିତ ସହିଦ ପ୍ରସନ୍ନଙ୍କୁ ମଶାଣୀରେ ଅଶ୍ରୁଳ ବିଦାୟ ଦେଇଥିଲେ । ବିଳମ୍ବିତ ରାତି ହୋଇଥିଲେ ବି ମଶାଣୀ ଭୂଇଁ ଶୋକାକୂଳ ପରିବେଶରେ କାନ୍ଦି ଉଠିଥିଲା ।

ସହିଦ ପ୍ରସନ୍ନଙ୍କ ପାର୍ଥିବ ଶରୀର ଗାଁ ମଶାଣୀକୁ ପହଂଚିବା ପୂର୍ବରୁ ନେତା, ବିଧାୟକ, ମନ୍ତ୍ରୀ, ପ୍ରଶାସନ, ସ୍ଥାନୀୟ ଜନତା ଆଦି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାରେ ଗତ ଗୁରୁବାର ସିଆରପିଏଫର ଯବାନମାନେ ଜମ୍ମୁ ଠାରୁ ଶ୍ରୀନଗର ଅଭିମୁଖେ ପ୍ରାୟ ୭୦ରୁ ଅଧିକ ବସରେ ୨୦୦୦ରୁ ଅଧିକ ଯବାନମାନେ ଯାଉଥିବା ବେଳେ ବାଟରେ ଆତଙ୍କବାଦୀ ସଂଗଠନ ‘ଜୈଶ-ଏ-ମହମ୍ମଦ’ ଦ୍ୱାରା ବିସ୍ଫୋରଣ କରାଯାଇଥିଲା । ଏହି ଆତଙ୍କବାଦୀ ଘଟଣାରେ ୪୪ ଜଣ ଯବାନ ହୋଇଥିଲେ । ସେଥି ମଧ୍ୟରେ ଓଡ଼ିଶାରୁ ୨ ଜଣ ସୁଯୋଗ୍ୟ ବୀର ସନ୍ତାନ ଥିଲେ ।

ସହିଦ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲାର ନିଆଳି ଅଂଚଳର ରତନପୁର ଗାଁର ମନୋଜ ବେହେରାଙ୍କ ପାର୍ଥିବ ଶରୀର ଶନିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଂଚିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହା ପରେ ଉଭୟ ମର ଶରୀରକୁ ସହିଦଙ୍କ ଜନ୍ମଗ୍ରାମକୁ ଶୋକଯାତ୍ରାରେ ନିଆଯାଇଥିଲା । ସହିଦ ମନୋଜ ବେହେରାଙ୍କ ପାର୍ଥିବ ଶରୀର ଶନିବାର ରାତି ପ୍ରାୟ ୧୧ଟା ୪୦ରେ ଅନ୍ତିମ ସଂସ୍କାର ହୋଇଥିବା ବେଳେ ସହିଦ ପ୍ରସନ୍ନଙ୍କ ପାର୍ଥିବ ଶରୀର ରାତି ପାଖାପାଖି ୨ଟା ପୂର୍ବରୁ ଜୁଇର ଚିତାରେ ଜଳିଥିଲା । ଉଭୟ ରତନପୁର ଓ ପାରିଶିଖର ଗାଁ ଏବେ ସହିଦଙ୍କୁ ଝୁରୁଛି । କାହାରି ମୁଖରେ କଥା ନାହିଁ । ସମସ୍ତେ ସ୍ତବ୍ଧ ପାଲଟି ଯାଇଛନ୍ତି ।

 

By amfnews

Related Post