Mon. Nov 25th, 2024

ଗାଁ ଛାଡ଼ିଲେ ଦୁଷ୍କର୍ମ ପୀଡ଼ିତା, ଅପରାଧୀଙ୍କୁ ସୁରକ୍ଷା ଦେଉଛି ପୁଲିସ୍‌

By amfnews Nov 27, 2019 #Featured
151 Views

ଯାଜପୁର: ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ ଲୋକଲଜ୍ଜାରେ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ଅପରାଧୀଙ୍କୁ ପୁଲିସ ଦୀର୍ଘ ୫୦ ଦିନ ହେଲା ଧରୁ ନଥିବାରୁ ସେମାନେ ଛାତି ଫୁଲାଇ ବୁଲୁଛନ୍ତି। ଏଭଳି ସ୍ଥିତିରେ ଦୁଷ୍କର୍ମ ପୀଡ଼ିତା ନିଜ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୁଲିସର ଅପରାଧୀ ସୁରକ୍ଷା ଯୋଜନାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସେଦିନ ଥିଲା ଅକ୍ଟୋବର ୩ ତାରିଖ ଅପରାହ୍‌ଣ। ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ କୋଲଣଗିରିର ସୁକାନ୍ତ ମଲିକଙ୍କ ପୁଅ ପ୍ରବୀର ଓ ପାଣ୍ତବ ମଲିକଙ୍କ ପୁଅ କୁଞ୍ଜିଆ ଅପହରଣ କରି ନେଇଥିଲେ। ଅନ୍ୟ ଦୁଇଜଣ ହଇରାଣିଆ ମଲିକଙ୍କ ପୁଅ ଟିକନ ଓ ସୁକାନ୍ତ ମଲିକଙ୍କ ପୁଅ ସମୀର ସେମାନଙ୍କ ସହ ସାମିଲ ହୋଇଥିଲେ। ଅପହୃତା ଛାତ୍ରୀକୁ ପ୍ରଥମେ ବିଶ୍ବନାଥପୁର ପରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିଲେ। ଏଥିନେଇ ଅକ୍ଟୋବର ୪ତାରିଖ ସକାଳେ ଛାତ୍ରୀଙ୍କ ବାପା ବାଲିଚନ୍ଦ୍ରପୁର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପରେ କେତେକ ମଧ୍ୟସ୍ଥିଙ୍କ ଜରିଆରେ ଅପହରଣକାରୀମାନେ ୪ ତାରିଖ ଦିନ ସଂଧ୍ୟାରେ ଛାତ୍ରୀଙ୍କୁ ତାଙ୍କ ପରିବାର ନିକଟରେ ଛାଡ଼ି ଦେଇଥିଲେ। ଥାନାରେ ଅଭିଯୋଗ କଲେ ତାକୁ ଓ ତା ପରିବାରକୁ ଜୀବନରୁ ମାରିଦେବେ ବୋଲି ଅପହରଣକାରୀ ଧମକ ଦେଇଥିଲେ। ଭୟ, ଲୋକଲଜ୍ଜା ଓ ମାନସିକ ଅସନ୍ତୁଳନ ଯୋଗୁଁ ପରିବାର କିଛି ଦିନ ଚୁପ୍‌ ରହିବା ପରେ ଅକ୍ଟୋବର ୧୨ ତାରିଖରେ ପୀଡ଼ିତା ନିଜେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲା।

କେସ୍‌ ନମ୍ବର ୨୫୨/୧୯ରେ ଅଭିଯୁକ୍ତମାନଙ୍କ ନାମରେ ୩୪୧, ୩୪୨, ୩୬୪, ୩୫୪ଏ, ୩୫୪ଡି, ୫୦୬, ୩୭୬, ୫୧୧, ୧୦୯, ୩୪ ଓ ପୋକ୍ସ ଆଇନରେ ମାମଲା ରୁଜୁ ହୋଇଥିଲା। ମାତ୍ର, ପୀଡ଼ିତାର ଡାକ୍ତରୀ ମାଇନା ଓ ବୟାନରେକର୍ଡ କରି ପୁଲିସ ନିଜର କାମ ଶେଷ କରିଛି। ଅପରାଧୀ ଫେରାର ହୋଇଯାଇଛନ୍ତି ବୋଲି ବାହାନା କରୁଛି। ଅପରପକ୍ଷରେ ପୀଡ଼ିତା ସ୍କୁଲକୁ ଯିବା ବନ୍ଦ କରିଦେଇଥିବାବେଳେ ଏଥର ମାଟ୍ରିକ ପରୀକ୍ଷା ଦେବାକୁ ବଞ୍ଚିତ ହେ‌େବ। ବାଲିଚନ୍ଦ୍ରପୁର ପୁଲିସର ଅପରାଧୀ ସୁରକ୍ଷା ଯୋଜନାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବା ବେଳେ ନାରୀ ସୁରକ୍ଷା ମଞ୍ଚ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି।

By amfnews

Related Post