Sun. Mar 8th, 2026

ଗତ ୨୪ ଘଣ୍ଟା ଭିତରେ ଏସ୍‌ସିବି ସ୍ବତନ୍ତ୍ର କରୋନା ୱାର୍ଡରେ ଚିକିତ୍ସିତ ହେଉଥିବା ଦୁଇଜଣଙ୍କର ମୃତ୍ୟୁ

241 Views

କଟକ : ଗତ ୨୪ ଘଣ୍ଟା ଭିତରେ ଏସ୍‌ସିବି ସ୍ବତନ୍ତ୍ର କରୋନା ୱାର୍ଡରେ ଚିକିତ୍ସିତ ହେଉଥିବା ଦୁଇଜଣ ବ୍ୟକ୍ତିଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ଜଣେ ମୃତବ୍ୟକ୍ତିଙ୍କ ଘର କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ଏବଂ ତାଙ୍କ ବୟସ ପାଖାପାଖି ୫୮ ବୋଲି କୁହାଯାଉଛି। ସେ କିନ୍ତୁ ନିକଟ ଅତୀତରେ କେବେ ରାଜ୍ୟ ବାହାରକୁ ଯାଇ ନାହାନ୍ତି। ତାଙ୍କ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସି ନ ଥିବାରୁ ତାଙ୍କ ମୃତଦେହକୁ ଆଇସିୟୁରୁ ବାହାର କରି ସୁରକ୍ଷିତ ଭାବେ ରଖା ଯାଇଥିଲା। ରିପୋର୍ଟ ଆସିବା ପରେ ମୃତଦେହ ହସ୍ତାନ୍ତର ହେବ ବୋଲି ଜଣାଯାଇଛି ।

ଏ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିଭିନ୍ନ ପ୍ରକାର ସମସ୍ୟା ରହିଥିଲା। ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ଥିଲା। ଗତକାଲି ରାତିରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏଠାକୁ ଅଣା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଯେହେତୁ ସେ କରୋନା ୱାର୍ଡରେ ଚିକିତ୍ସିତ ହେଉଥିଲେ, ତେଣୁ ତାଙ୍କର ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏଭଳି ସ୍ଥିତିରେ ମୃତକଙ୍କ ପରିବାର ମଧ୍ୟ ଆଶଙ୍କାରେ ଅଛନ୍ତି। ଏବେ ସମସ୍ତଙ୍କ ନଜର ତାଙ୍କ ସ୍ବାବ୍‌ ରିପୋର୍ଟ ଉପରେ ରହିଛି।
ଏଣେ ଏସ୍‌ସିବି ସ୍ବତନ୍ତ୍ର କରୋନା ୱାର୍ଡରେ ଚିକିତ୍ସିତ ହେଉଥିବା ଆଉ ଜଣେ ମୃତକଙ୍କର ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି।

By amfnews

Related Post