Sun. Feb 23rd, 2025

ଗଣଶିକ୍ଷା ବିଭାଗ ଲିଫଲେଟରେ ବିଭ୍ରାନ୍ତିକର ତଥ୍ୟ : ଗାନ୍ଧୀଜୀଙ୍କୁ ହତ୍ୟା କରାଯିବା କଥା ଉଲ୍ଲେଖ କଲେନି କାହିଁକି?

By amfnews Nov 14, 2019 #Featured
155 Views

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସ୍କୁଲ ପିଲାଙ୍କୁ ଦିଆଯାଇଥିବା ଦୁଇ ପୃଷ୍ଠାର ଲିଫଲେଟ୍‌ରେ ଗାନ୍ଧୀଜୀଙ୍କ ବର୍ବର ହତ୍ୟା ଘଟଣାକୁ ଉଲ୍ଲେଖ ନ କରି ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି। ଆଜି ଏଭଳି ଅଭିଯୋଗ ଆଣିଛନ୍ତି ଲୋହିଆ ଏକାଡେମି ଓ ରାଷ୍ଟ୍ରୀୟ ଯୁବା ସଂଗଠନ।

ଏକାଡେମି ଓ ସଂଗଠନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ‌ ବିଶିଷ୍ଟ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି, ସମଗ୍ର ପୃଥିବୀ ଜାଣିଛି, ମହାତ୍ମା ଗାନ୍ଧୀଙ୍କୁ ‘ହିନ୍ଦୁତ୍ବବାଦୀ ଆତତାୟୀ ନାଥୁରାମ ଗଡସେ’ ପ୍ରାର୍ଥନା ସଭାରେ ଗୁଳି କରି ହତ୍ୟା କରିଛି। ମହାତ୍ମା ଗାନ୍ଧୀଙ୍କୁ ସାତ ଥର ହତ୍ୟା ଉଦ୍ୟମ କରାଯାଇଥିଲା। ଏଥିରୁ ୪ ଥର ହିନ୍ଦୁତ୍ବବାଦୀମାନେ ଆକ୍ରମଣ କରିଥିଲେ। ସେଥିମଧ୍ୟରୁ ଦୁଇ ଥର ନାଥୁରାମ ଗଡ୍‌ସେ ନିଜେ ହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ବେଳେ ତୃତୀୟ ଥର ସଫଳ ହୋଇଥିଲେ।

କିନ୍ତୁ ଗଣଶିକ୍ଷା ବିଭାଗ ଓ ବିଦ୍ୟାଳୟ ତରଫରୁ ‘ଆମ ବାପୁଜୀ, ଏକ ଝଲକ’ ଶିରୋନାମାରେ ଯେଉଁ ପ୍ରଚାରପତ୍ର ବଣ୍ଟା ଯାଇଛି, ସେଥିରେ ଏକ ଆକସ୍ମିକ ଘଟଣାରେ ଗାନ୍ଧୀଜୀଙ୍କ ଦେହାବସାନ ହୋଇଛି ବୋଲି ଉଲ୍ଲେଖ କରାଯାଇଛି। ଆର୍ଥାତ୍‌ ବିଶ୍ବର ମହାମାନବ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଛି, କିନ୍ତୁ ଏ କଥାକୁ ସ୍କୁଲ ପିଲାଙ୍କ ପାଖରେ ଲୁଚାଇବାକୁ ଷଡ୍‌ଯନ୍ତ୍ର ହୋଇଛି। ଇତିହାସର ସତ୍ୟତା ସହ ଜାତିର ପିତା ଗାନ୍ଧୀଜୀଙ୍କ ହତ୍ୟାର କାରଣ ଓ ହତ୍ୟାକାରୀର ନାମ ଜାଣିବା ପିଲାଙ୍କ ପାଇଁ ଅତି ଆବଶ୍ୟକ। ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଖରେ କାହିଁକି ଏପରି ମିଥ୍ୟା ତଥ୍ୟ ଦେଇ ସ୍କୁଲମାନଙ୍କୁ ପୁସ୍ତିକା ଜରିଆରେ ବିଭ୍ରାନ୍ତ କରାଯାଇଛି, ଏହାର ଉତ୍ତର ରାଜ୍ୟ ସରକାର ତୁରନ୍ତ ଦିଅନ୍ତୁ ବୋଲି ଦାବି କରାଯାଇଛି। ସେହିପରି ଯେଉଁ ଅଧିକାରୀ ଏହି ଲେଖା ଦାୟିତ୍ବରେ ଥିଲେ, ସେ ନିଶ୍ଚିତ ଭାବେ ନାଥୁରାମ ଗଡ୍‌ସେଙ୍କ ଭକ୍ତ, ହିଂସା ଓ ଘୃଣା ବିଚାର ଆଧାରିତ ସଂଗଠନର ସଭ୍ୟ ହୋଇଥିବେ। ଏଣୁ ଗାନ୍ଧୀଜୀଙ୍କ ଜୀବନୀକୁ ନ୍ୟୂନ କରିବା ପାଇଁ ହତ୍ୟାକାରୀଙ୍କୁ ଘୋଡ଼ାଇବା ପାଇଁ ଏଭଳି ଭୁଲ୍‌ ତଥ୍ୟ ଦିଆଯାଇଛି। ଏହା ନିଶ୍ଚିତ ଭାବେ ଉଦ୍ଦେଶ୍ୟମୂଳକ ଓ ଅକ୍ଷମଣୀୟ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଣଶିକ୍ଷା ମନ୍ତ୍ରୀ ଏହାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଅନ୍ତୁ ବୋଲି ଶ୍ରୀ ସାମନ୍ତରା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବ ପ୍ରସାଦ ରାୟ, ବିଶ୍ବଜିତ ରାୟ, ମନୋରଂଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

By amfnews

Related Post