ଭୁବନେଶ୍ୱର, ଫେବୃଆରୀ ୧ : କରୋନା ମହାମାରୀ କାରଣରୁ ଦୀଘଁ ୧୦ ମାସ ଧରି ବନ୍ଦ ରହିଛି ରାଜ୍ୟରେ ସମସ୍ତ ସ୍କୁଲ । ସ୍କୁଲ ରେ ଦିଆଯାଉଥିବା ମଧ୍ୟହ୍ନ ଭୋଜନ କାର୍ଯ୍ୟକ୍ରମ ବି ବନ୍ଦ ରହିଛି ଯାହାକୁ ନେଇ କୁନି କୁନି ପିଲାଙ୍କ ସ୍ୱାସ୍ଥ୍ୟକୁ ଚିନ୍ତା ପ୍ରକଟ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
କରୋନା ସମୟରେ ମଧ୍ୟାହ୍ନ ଭୋଜନ ଦିଆଯାଉ ନଥିଲେ ବି ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ସେମାନଙ୍କ ଅଭିଭାବକଙ୍କ ଆକାଉଣ୍ଟକୁ ସିଧାସଳଖ ମଧ୍ୟାହ୍ନ ଭୋଜନ ବାବଦରେ ଟଙ୍କା ପଠାଯାଉଛି । ଏହା ସତ୍ୱେ କରୋନା କାଳରେ ସ୍କୁଲ ଖୋଲିବା ପୂର୍ବରୁ ପିଲାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସେମାନଙ୍କୁ ହାପିନେସ୍ କିଟ୍ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଜନା କରିଛି ।
ଏହି ହାପିନେସ୍ କିଟ୍ ରେ ସମସ୍ତ ପ୍ରକାର ପୃଷ୍ଟିକର ଖାଦ୍ୟ ସେମାନଙ୍କୁ ଯୋଗାଇ ଦିଆଯିବ । ଏହି କିଟ୍ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ । ଏହାସହ ପେନ୍, ପେନ୍ସିଲ୍, ନୋଟ୍ ପ୍ୟାଡ୍, ସାନିଟାରୀ ନାପକିନ୍, ଟୁଥ୍ ପେଷ୍ଟ, ଆୟୋଡିନ ଲୁଣ ଓ ସାବୁନ ବି ରହିବ । ଯାହା ସେମାନଙ୍କ ଇମ୍ୟୁନିଟି ବଢାଇବାରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ ଓ ସୁନ୍ଦରଗଡ ଭଳି ୫ଟି ଜିଲ୍ଲାର ୧୯୧୬ ସ୍କୁଲରେ ପ୍ରାୟ ୧ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀଙ୍କୁ ଏହି କିଟ୍ ଯୋଗାଇ ଦିଆଯିବା ପାଇଁ ଯୋଜନା କରାଯାଇଛି । ଏହାପରେ ପତବର୍ତ୍ତୀ ପର୍ଯ୍ୟାୟ ଗୁଡିକରେ ଏହି କିଟ୍ ଅନ୍ୟ ସମସ୍ତ ଜିଲ୍ଲାର ସ୍କୁଲ ଗୁଡିକୁ ଯୋଗାଇ ଦିଆଯିବ ।
ଏହି ଯୋଜନା କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହିଁ ଲାଭ ଉଠାଇ ପାରିବେ ଆଉ ଏହି ଯୋଜନା ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ବୋଲି ଜଣାପଡିଛି ।