Mon. Mar 9th, 2026

ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ‌ରେ ଆରମ୍ଭ ହେଲା ‘ପାଣି ଘଣ୍ଟି’ ବ୍ୟବସ୍ଥା, ବେଲ୍ ବାଜିଲେ ପାଣି ପିଇବେ ପିଲା

254 Views

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ଆଜି ଠାରୁ ଆରମ୍ଭ ହୋଇଛି- ପାଣି ପିଅନ୍ତୁ, ସୁସ୍ଥ ରହନ୍ତୁ’ ଅଭିଯାନ। ଆଜି ଠାରୁ ସ୍କୁଲରେ ଦିନକୁ ୩ ଥର ବାଜିବ ‘ପାଣି ଘଣ୍ଟି’ ଓ ଛାତ୍ରଛାତ୍ରୀମାନେ ପାଣି ପିଇବେ। ବ୍ରହ୍ମପୁରର ଗିରି ରୋଡସ୍ଥିତ ଭିଭି ଗିରି ବାଲିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଜିଲ୍ଲାପାଳ ବିଜୟ ଅମୃ୍ତା କୁଲାଙ୍ଗେ ଏହି ବ୍ୟବସ୍ଥାର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ କମିସନର ବିକ୍ରମ ସିଂ ରାଠୋର, ଗଞ୍ଜାମ ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରେୟ ଭାନୁପ୍ରତାପ, ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପାଣି ବୋତଲ ବଣ୍ଟନ କରିବା ସହ ପାଣି ପିଇବାର ଉପକାରିତା ସଂପର୍କରେ ବୁଝାଇଥିଲେ।

ମଣିଷ ଶରୀରରେ ୬୦ପ୍ରତିଶତ ଜଳ ରହିଥିବା ବେଳେ ରକ୍ତରେ ଜଳର ପରିମାଣ ୯୦ପ୍ରତିଶତ ରହିଥାଏ। ଠିକ୍ ସମୟରେ ଠିକ୍ ପରିମାଣରେ ପାଣି ପିଇବା ଦ୍ବାରା ଶରୀରର ଅଧାରୁ ଅଧିକ ରୋଗ ଦୂର ହୋଇଥାଏ। ଏବେ ପାଣିର ଗୁରୁତ୍ବକୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ  ଏଇ  ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି।  ସ୍କୁଲରେ କିଭଳି ପିଲାମାନେ ଠିକ୍ ସମୟରେ ପାଣି ପିଇବେ, ସେ ନେଇ ଜିଲ୍ଲାପାଳ ‘ୱାଟର ବେଲ୍’ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି କରିଛନ୍ତି।

ସୋମବାରରୁ ଶୁକ୍ରବାର ଦିନ ୧୧.୪୦, ୧.୩୦ ଓ ୩.୧୫ ସମୟରେ ୱାଟର ବେଲ ବାଜିବା ସହ ଶନିବାର ଦିନ ୮.୦୦,୯.୩୦ ଓ ୧୦.୫୦ ସମୟରେ ସ୍କୁଲରେ ୱାଟର ବେଲ୍ ବାଜିବ। ଏହା ପିଲାମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇବ। ଘଣ୍ଟା ବାଜିବା ମାତ୍ରେ ଛାତ୍ରଛାତ୍ରୀମାନେ ଏକକାଳୀନ ପାଣି ପିଇବେ। ଯେଉଁମାନେ ଘରୁ ପାଣି ନେଇ ଆସନ୍ତି ନାହିଁ, ସେମାନଙ୍କ ପାଇଁ ୫ମିନିଟ୍ ଜଳପାନ ବିରତି ରଖାଯିବ, ଯାହାଦ୍ବାରା ସେମାନେ ସ୍କୁଲରେ ଉପଲବ୍ଧ ଥିବା ପାଣି ପିଇ ପାରିବେ। ଏହି ନିୟମ ପରେ ମାତା-ପିତାଙ୍କୁ ପାଣି ବୋତଲ ଦେଇ ସ୍କୁଲ ପଠାଇବା ପାଇଁ ଅନୁରୋଧ କରାଯିବ। ଏହା ସହ ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ ଯେମିତି ବ୍ୟବହାର ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଛାତ୍ର-ଛାତ୍ରୀମାନଙ୍କୁ ପାଣିର ଉପଯୋଗିତା ଉପରେ ସଚେତନ କରାଇବେ।

ସୂଚନା ମୁତବକ, ସ୍କୁଲକୁ ଯିବା ସମୟରେ ଘରୁ ପାଣି ବୋତଲରେ ପାଣି ଭରି ସ୍କୁଲ ଆସୁଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ପାଣି ପିଅନ୍ତି ନାହିଁ। କିଛି ଛାତ୍ରଛାତ୍ରୀ ପାଣି ନ ଆଣିବା ସହ ସ୍କୁଲରେ ଥିବା ପାଣି ମଧ୍ୟ ପିଅନ୍ତି ନାହିଁ। ଯାହାଦ୍ବାରା ଜ୍ବର, ସଂକ୍ରମଣ, ନିର୍ଜଳୀକରଣ ଆଦିର ଶିକାର ହୋଇଥାନ୍ତି। ଏ ସବୁ କଥାକୁ ଲକ୍ଷ କରି ଜିଲ୍ଲାର ପ୍ର‌ତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଚୁର ପାଣି ପିଇବାକୁ ପ୍ରବର୍ତ୍ତାଇବା ପାଇଁ ୱାଟର ବେଲର ପ୍ରଚଳନ ନେଇ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।

By amfnews

Related Post