Sat. Mar 7th, 2026

ଗଞ୍ଜାମରେ ପୁଣି ୩ ଡେଙ୍ଗୁ ଚିହ୍ନଟ:ଜିଲ୍ଲାରେ ୭ ପଜିଟିଭ୍‌

221 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ ଡେଙ୍ଗୁ ଚିନ୍ତା ଘାରିଲାଣି। ଆଜି ପୁଣିଥରେ ୩ଜଣ ରୋଗୀଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଛି। ଫଳରେ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ମୋଟ ସଂଖ୍ୟା ୭ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୩ଜଣ ରୋଗୀଙ୍କ ମଧ୍ୟରୁ ଦୁଇଜଣ ଅନ୍ୟ ରାଜ୍ୟରୁ ଆସିଥିବା ନେଇ ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା. ଆର୍‌. ଜଗଦୀଶ ପଟ୍ଟନାୟକ ସୂଚନା ଦେଇଛନ୍ତି। ଜଣେ ରୋଗୀ ଏମ୍‌କେସିଜି ମେଡିକାଲ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ଼ରେ ଭର୍ତ୍ତି ହୋଇଛନ୍ତି। ରଂଗେଇଲୁଣ୍ଡା ବ୍ଲକ ଏମ୍‌. ବକ୍ସିପଲ୍ଲୀର ବି. ବୈରାଗୀ ବିଜୟୱାଡ଼ା ଯାଇଥିବା ବେଳେ ଶାସନପଦରର ପବିତ୍ର ବେହେରା ବାଙ୍ଗାଲୁର ଯାଇଥିଲେ। ସେଠାରେ ଉଭୟଙ୍କ ସ୍ବାସ୍ଥ୍ୟ ଖରାପ୍‌ ହୋଇଥିଲା।

ଜ୍ବର ହେବାରୁ ଚିକିତ୍ସା କରାଇଥିଲେ। ହେଲେ ଜ୍ବର ଛାଡ଼ି ନଥିଲା। ଫଳରେ ଉଭୟେ ଘରକୁ ଫେରି ଆସିଥିଲେ। ଉଭୟଙ୍କ ଡେଙ୍ଗୁ ପରୀକ୍ଷା କରିବା ପରେ ଆଜି ପଜିଟିଭ୍‌ ରିପୋର୍ଟ ଆସିଛି। ବୈରାଗୀ ବର୍ତ୍ତମାନ ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଭାଟକୁମରଡ଼ାର ଜଣେ ଛାତ୍ର ଲିକୁନ ବେହେରା ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ରକ୍ତ ନମୁନା ପରୀକ୍ଷା ପରେ ପଜିଟିଭ୍‌ ରିପୋର୍ଟ ଆସିଛି। ସମସ୍ତ ରୋଗୀଙ୍କ ଅବସ୍ଥା ଭଲ ଥିବା ବେଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ପ୍ରଦାନ କରାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଗତ ୨୦୧୨ରେ ଡେଙ୍ଗୁ ଜ୍ବର ଉତ୍କଟ ରୂପ ଧାରଣ କରିଥିଲା। ଏହି ବର୍ଷ ମୋଟ ୫୩୩ ଜଣ ବଡ଼ ମେଡିକାଲ ଡେଙ୍ଗୁ ଵାର୍ଡରେ ଚିକିତ୍ସିତ ହୋଇଥିଲେ। ଡେଙ୍ଗୁର ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରତ୍ୟେକ ବ୍ଲକସ୍ତରରେ ବିଭିନ୍ନ ପ୍ରକାର ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସହିତ ପରିବେଶ ସଫାସୁତରା ରଖିବା ପାଇଁ ଲୋକଙ୍କୁ ଅବଗତ କରାଯାଉଛି।

By amfnews

Related Post