Thu. Mar 12th, 2026

ଗଛ ମଞ୍ଚାରେ ପରିବାର : ହାତୀ ପାଇଁ ମାସେ ହେଲାଣି ହୀନସ୍ତା

147 Views

କୋଇଡ଼ା‌ : ହାତୀ ଭାଙ୍ଗିଦେଲେ ଘର। ମାସେ ହେଲା ପିଲା ଛୁଆଙ୍କ ସହିତ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥ‌ାରେ ଗଛ ଉପରେ ରହୁଛନ୍ତି ପ୍ରଦୀପ ନାଏକଙ୍କ ପରିବାର। ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ସହାୟତା କିମ୍ବା ଘର କରିବା ପାଇଁ ଆଶ୍ବାସନା ମିଳିନାହିଁ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ପାଟମୁଣ୍ଡା ଗ୍ରାମପଞ୍ଚାୟତ ମିଥିର୍ଡା ଗ୍ରାମର ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି।

କେନ୍ଦୁଝର ଜିଲ୍ଲା ସୀମାନ୍ତ ମିଥିର୍ଡା ଗ୍ରାମର ପ୍ରଦୀପ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କ ପରିବାର କହିଲେ ପତ୍ନୀ ଓ ୪ ସନ୍ତାନ। ବହୁକଷ୍ଟରେ ଏକ ଆଜ୍‌ବେଷ୍ଟସ୍‌ ଘର ତିଆରି କରି ସେ ପରିବାର ସହିତ ରହୁଥିଲେ। ଜୁଲାଇ ୧୫ ତାରିଖ ଦିନ ହାତୀପଲ ଗାଁରେ ପଶି ପ୍ରଦୀପଙ୍କ ଘରକୁ ଭାଙ୍ଗି ଦେଇଥିଲେ। ଭଙ୍ଗା ଘରେ ରହିବା ସମ୍ଭବ ନୁହେଁ, ତେଣୁ ହାତୀଙ୍କ ଦାଉରୁ ରକ୍ଷା ପାଇବା ପାଇଁ ପ୍ରଦୀପ ଏବେ ଏକ ଆମ୍ବ ଗଛରେ ମଞ୍ଚା ବାନ୍ଧି ରହୁଛନ୍ତି। ଆମ୍ବ ଗଛ ମୂଳରୁ ପ୍ରାୟ ୧୪/୧୫ ଫୁଟ୍‌ ଉଚ୍ଚରେ କାଠ ଓ ବାଉଁଶ ଖଣ୍ଡ ବାନ୍ଧି ତା’ ଉପରେ ପଲିଥିନ ପକାଇ ଘର ଭଳି କରାଯାଇଛି। ମଞ୍ଚାରେ ଖଟିଆ ପକାଇ ପରିବାରର ୬ ସଦସ୍ୟ ରହୁଛନ୍ତି। ପ୍ରଦୀପଙ୍କ ସହିତ ତାଙ୍କର ୧୨ ବର୍ଷ ବୟସ୍କ ମଧ୍ୟରେ ୪ ସନ୍ତାନ ମଧ୍ୟ ଗଛ ଚଢି ଉପରକୁ ଯାଉଛନ୍ତି। ଗଛରେ ରହିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିବା ପ୍ରଦୀପ କହିଛନ୍ତି। ହାତୀ ଘର ଭାଙ୍ଗିଥିବା ନେଇ ସେ ସ୍ଥାନୀୟ ସରପଞ୍ଚ ଓ ଜଙ୍ଗଲ ବିଭାଗକୁ ଜଣାଇଥିଲେ। ତାଙ୍କ ଦୁଃଖ କେହି ଶୁଣିଲେନି। ହାତୀଙ୍କ ପାାଇଁ କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତିପୂରଣ ବ୍ୟବସ୍ଥା ଥିବା ବେଳେ ପ୍ରଦୀପଙ୍କ ପ୍ରତି କାହିଁକି ଅବହେଳା କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରୁଛନ୍ତି।

By amfnews

Related Post