Tue. Mar 10th, 2026

ଖଡ଼ଗପୁର ଷ୍ଟେସନରୁ ୩୮.୫ ଲକ୍ଷ ଟଙ୍କା ସହ ଯୁବକ ଗିରଫ

186 Views

ବାଲେଶ୍ୱର , ଜାନୁୟାରୀ ୦୭  : ପୁରୀ-କାମାକ୍ଷା ଏକ୍ସପ୍ରେସ୍‌ ରବିବାର ପୂର୍ବାହ୍ନରେ ଖଡ଼ଗପୁର ଷ୍ଟେସନରେ ପହଞ୍ଚିବା ପରେ ସେଥିରୁ ଖଡ଼ଗପୁର ଜିଆରପି ଓ ଆରପିଏଫ୍‌ର ଟାସ୍କ ଟିମ୍‌(ସି) ଏକ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ କରିଥିବା ବେଳେ ଜଣେ ଯୁବକକୁ ଗିରଫ କରିଛନ୍ତି। ଗିରଫ ଯୁବକଜଣକ ପଶ୍ଚିମବଙ୍ଗ ପାଁଶକୁଡ଼ା ଅନ୍ତର୍ଗତ ଘାଟାଲ ଅଞ୍ଚଳର ଜୟଦେବ ସାମନ୍ତ(୪୫)। ତା’ଠାରୁ ଜବତ ହୋଇଥିବା ବ୍ୟାଗ୍‌ରୁ ୩୮ ଲକ୍ଷ ୫୦ ହଜାର ଟଙ୍କା ବାହାରିଥିବା ବେଳେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲା ଓ ‌କେଉଁଠିକୁ ନେଉଥିଲା ତାହା ସେ ସ୍ପଷ୍ଟ କରି ନଥିବାରୁ ଜିଆରପି ପକ୍ଷରୁ ଏହାର ତନାଘନା ତଦନ୍ତ ଚଳାଇଛି।

ସୂଚନାନୁଯାୟୀ, ଅଭିଯୁକ୍ତ ଜୟଦେବ ସାମନ୍ତ ରବିବାର ସକାଳେ ପୁରୀ-କାମାକ୍ଷା ଏକ୍ସପ୍ରେସ୍‌ରେ ଏହି ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଆଜି ହାଵଡ଼ା ଯାଉଥିଲା। ତେବେ ସେ ଖଡ଼ଗପୁର ଷ୍ଟେସନରେ ଓହ୍ଲାଇ ତରବରିଆ ଓ ସନ୍ଦେହଜନକ ଭାବେ ଅଲଗା ଟ୍ରେନ୍‌ରେ ଚଢ଼ିବାକୁ ଯାଉଥିବା ଦେଖି ଷ୍ଟେସନରେ ଥିବା ଜିଆରପି ଓ ଆରପିଏଫ୍‌ର ଟାସ୍କଟିମ୍‌(ସି) ତାକୁ ଧରି ଯାଞ୍ଚ୍‌ କରିଥିଲେ। ବ୍ୟାଗ୍‌ରୁ ଏତେ ପରିମାଣର ଟଙ୍କା ସେ କେଉଁଠିକୁ ନେଉଛି ବୋଲି ପଚାରିବାରୁ ତାହା କଟକର ଜଣେ ସୁନା ବ୍ୟବସାୟୀଙ୍କର ବୋଲି ସେ କହିଥିଲା। ତାଙ୍କ ବରାଦ୍‌ ଅନୁସାରେ ସେ ଉକ୍ତ ଟଙ୍କା ହାୱଡ଼ାର ଜଣେ ବ୍ୟକ୍ତିଙ୍କୁ ଦେବାକୁ ନେଉଥିଲେ। ମାତ୍ର ସେମାନଙ୍କ ନାଁ କିମ୍ବା ଠିକଣା ବାବଦରେ ପଚାରିବାରୁ ସେ କିଛି କହିବାକୁ ଚାହିଁନଥିଲା। ଫଳରେ ଉକ୍ତ ଟଙ୍କା ବ୍ୟାଗ୍‌ ସହ ତାକୁ ଗିରଫ କରାଯାଇଥିଲା। ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

By amfnews

Related Post