ଖଣ୍ତଗିରି : ଗୋଟିଏ ମାସ ଅନ୍ତରରେ ସ୍ଥାନୀୟ ଅଞ୍ଚଳରେ ପୁଣି ମାଉଜର୍ ଗର୍ଜନ କରିଛି। ଗତ ରାତି ପ୍ରାୟ ୨ଟାବେଳେ କିଛି ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ ବି ଅଳ୍ପକେ ବର୍ତି ଯାଇଛନ୍ତି। ଗୁଳିମାଡ଼ର ଶିକାର ଯୁବକ ହେଲେ ପ୍ରୀତମ କୁମାର ଜେନାମଣି ଓରଫ୍ ତିନା(୨୮)। ତାଙ୍କ ଘର ବାଲିପାଟଣା, କିନ୍ତୁ ସେ ଦୀର୍ଘ ବର୍ଷ ହେବ ପାତ୍ରପଡ଼ା ଭଗବାନପୁର ଅଞ୍ଚଳରେ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି। ତାଙ୍କ ଡାହଣ କାନ୍ଧରେ ଗୁଳି ବାଜିଛି। ଚିକିତ୍ସା ପରେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ଘଟଣା ପରେ ଖଣ୍ତଗିରି ଥାନା ପୁଲିସ ଦୁର୍ବୃତ୍ତମାନଙ୍କ ପତ୍ତା ପାଇବା ପାଇଁ ଉଦ୍ୟମ କରିଥିଲେ ବି କିଛି ସଫଳତା ମିଳି ପାରିନାହିଁ। ଗତ ମାସ ୧୩ ତାରିଖରେ ଭରତପୁର ଛକରେ ଘଟିଥିବା ଗୁଳିକାଣ୍ତ ମାମଲାରେ ଅପରାଧୀମାନେ ଧରାପଡ଼ି ନଥିବାବେଳେ ରବିବାର ରାତିର ଏହି ମାମଲାଟି ପୁଲିସ ପାଇଁ ମୁଣ୍ତବିନ୍ଧାର କାରଣ ପାଲଟିଛି। ଭରତପୁର ମାମଲାରେ ପୁଲିସ ୨ ଅପରାଧୀଙ୍କ ପତ୍ତା ପାଇ ସାରିଥିଲେ ବି ଧରିବାରେ ସକ୍ଷମ ହୋଇନାହିଁ।
ରବିବାର ରାତି ପ୍ରାୟ ୨ଟାବେଳେ ପ୍ରୀତମ୍ ଓ ତାଙ୍କର ଅନ୍ୟ ୩ ବନ୍ଧୁ ଏକ ବଲେରୋରେ ଘାଟିକିଆ ଅଞ୍ଚଳରୁ ଖଣ୍ତଗିରି ଆସୁଥିଲେ। ସେମାନେ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇ ପାତ୍ରପଡ଼ା ଫେରିବାର ଥିଲା। ସେମାନେ ଜୟଦେବ ବାଟିକା ଚାରିଛକରେ ପହଞ୍ଚିଥିବାବେଳେ ଅନ୍ୟ ଏକ ଟାଟା ଏସି ଗାଡ଼ି ସେମାନଙ୍କ ଗାଡ଼ି ସମ୍ମୁଖକୁ ଚାଲି ଆସିଥିଲା। ଦୁଇ ଗାଡ଼ି ମଧୢରେ ଦୁର୍ଘଟଣା ଘଟି ନଥିଲେ ମଧୢ ପ୍ରୀତମ୍ ଓ ଟାଟା ଏସିରେ ଥିବା ଦୁଇ ଜଣଙ୍କ ସହ କଥା କଟାକଟି ହୋଇଥିଲା। କିନ୍ତୁ ଟାଟା ଏସି ଗାଡ଼ିରେ ଥିବା ଦୁଇ ଯୁବକ ଗାଳିମନ୍ଦ କରି ଘଟଣାସ୍ଥଳରୁ ପଳାଇଥିଲେ। ତେଣୁ ରାଗରେ ପ୍ରୀତମ୍ ଗୋଷ୍ଠୀ ସେମାନଙ୍କୁ ଆକ୍ରମଣ କରିବା ପାଇଁ ପୁଣି ପିଛା କରିଥିଲେ।
ଗୋଡ଼ାଗୋଡ଼ି ହୋଇ ସେମାନେ ପୁଣି ଜୟଦେବ ବାଟିକା ଶେଷମୁଣ୍ତ ତାରିଣୀ ମନ୍ଦିର ନିକଟରେ ଏକାଠି ହୋଇଥିଲେ। ଟାଟା ଏସିରେ ଥିବା ଜଣେ ଯୁବକ ହଠାତ୍ ଏକ ମାଉଜର୍ ବାହାର କରି ପ୍ରୀତମ୍ଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ପ୍ରୀତମ୍ଙ୍କ ଡାହାଣ କାନ୍ଧରେ ଗଳି ଯାଇଥିଲା। ଗୋଟିଏ ରାଉଣ୍ତ ଗୁଳି ମାଡ଼ ପରେ ପ୍ରୀତମ୍ଙ୍କ ବନ୍ଧୁମାନେ ପଛଘୁଞ୍ଚା ଦେଇଥିଲେ। ଏହି ମଉକାରେ ଗୁଳିମାଡ଼ କରିଥିବା ଦୁଇ ଯୁବକ ୧୬ ନମ୍ବର ଜାତୀୟ ରାଜପଥ ଉପରକୁ ଉଠି ବାଣୀବିହାର ଦିଗରେ ଫେରାର୍ ହୋଇ ଯାଇଥିଲେ। ପ୍ରୀତମ୍ଙ୍କ ବନ୍ଧୁମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ ଓ ପରେ ପୁଲିସକୁ ଖବର ଜଣାଇଥିଲେ।ଗୁଳିକାଣ୍ତକୁ ନେଇ ପ୍ରୀତମ୍ ପୁଲିସକୁ କୌଣସି ସ୍ପଷ୍ଟ ଚିତ୍ର ଦେଇପାରୁନାହାନ୍ତି।
ଟାଟା ଏସିରେ ଥିବା ଦୁଇ ଯୁବକ ପ୍ରୀତମ୍ ଗୋଷ୍ଠୀ ଆକ୍ରମଣରୁ ବର୍ତିବା ପାଇଁ ଅର୍ଥାତ୍ ଆତ୍ମରକ୍ଷା ପାଇଁ ଗୁଳି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ସେମାନେ ମାଉଜର୍ ରଖି ଟାଟା ଏସି ଗାଡ଼ି ବ୍ୟବହାର କରୁଥିବାରୁ ହୁଏତ କିଛିି ଚୋରା କାରବାର କରୁଥିବା ସନ୍ଦେହ କରାଯାଉଛି। ତେଣୁ ଏହି ଗୁଳିକାଣ୍ତ ପଛରେ କୌଣସି ଚୋରା କାରବାର ପ୍ରମୁଖ କାରଣ ହୋଇଥିିବା ବି ଚର୍ଚ୍ଚା ହେଉଛି। ତେବେ ପ୍ରୀତମ୍ ସୁସ୍ଥ ହେବା ପରେ ପୁଲିସ ତାଙ୍କୁ ଅଧିକ ପଚରାଉଚରା କରି ଏହି ମାମଲାର ମୂଳରେ ପହଞ୍ଚିବ ବୋଲି ସୂଚନା ମିଳିଛି।