Thu. Jan 23rd, 2025

ଖଣ୍ଡା ଦେଖାଇ ପୁଲିସ୍‌କୁ ଆକ୍ରମଣ : ବର୍ତ୍ତିଗଲେ ଓଆଇସି, ଧରାପଡ଼ିଲେ ୩ ଲୁଟେରା

By amfnews Mar 5, 2019 #Featured
210 Views

ଗୋଳନ୍ଥରା : ରବିବାର ବିଳମ୍ବିତ ଭୁବନେଶ୍ବର ସହିଦନଗର ଥାନାରେ ପଶି ଦୁର୍ବୃତ୍ତମାନେ ପୁଲିସ୍‌କୁ ଆକ୍ରମଣ କରିଥିଲେ। ଥାନାଧିକାରୀଙ୍କ ସମେତ ୪ ଜଣ ଏହି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ସମସ୍ତେ ଗୁୁରୁତର ଆହତ ହୋଇଥିଲେ। ବ୍ରହ୍ମପୁରରେ ସେହିଭଳି ଏକ ସମାନ ଘଟଣା ଘଟିଛି। ଯଦିଓ ଥାନା ବାହାରେ ଏହି ଘଟଣା ଘଟିଛି, ଏଥିରେ ମଧ୍ୟ ଦୁର୍ବୃତ୍ତମାନେ ଓଆଇସିଙ୍କୁ ଖଣ୍ଡା ଦେଖାଇ ଆକ୍ରମଣ କରିଛନ୍ତି। ‌େସୗଭାଗ୍ୟବଶତଃ, ଓଆଇସିଙ୍କର କିଛି ହୋଇନାହିଁ। ତେବେ, ପୁଲିସ୍‌ ତତ୍‌ପରତା ଦେଖାଇବା ଫଳରେ ୩ ଜଣ ଲୁଟେରା ଧରାପଡ଼ିଛନ୍ତି।

ଗତକାଲି ରାତି ପ୍ରାୟ ଗୋଟାଏ ବେଳର ଘଟଣା। ବ୍ରହ୍ମପୁର ସହର ଉପକଣ୍ଠ ଜାତୀୟ ରାଜପଥ ୧୬ରେ ହାଇୱେ ଲୁଟେରା ଗ୍ୟାଙ୍ଗ୍‌ ପୁଣି ଉତ୍ପାତ ଆରମ୍ଭ କରିଦେଇଥିଲେ। ଏଭଳିକି ଯାତ୍ରୀଙ୍କୁ ଅଟକାଇ ଲୁଟ୍‌ପାଟ୍‌ କରୁଥିବାବେଳେ ଥାନାର ଭାରପ୍ରାପ୍ତ ଅଧିକାରୀ ବସନ୍ତ ସେଠୀ ସେଠାରେ ପହଞ୍ଚିଥିଲେ। ଥାନା ଅଧିକାରୀ ଆଲୋକ ଜେନାଙ୍କ ବଦଳି ପରେ ଶ୍ରୀ ସେଠୀ ୩ ଦିନ ହେଲା ଅସ୍ଥାୟୀ ଦାୟିତ୍ବରେ ରହିଥିଲେ। ସେତେବେଳେ ଶ୍ରୀ ସେଠୀ ଡ୍ୟୁଟି ସାରି ଥାନାରୁ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀସ୍ଥିତ ବାସଭବନକୁ କାର୍‌ରେ ଆସୁଥିଲେ। ଫଳରେ, ଉଭୟ ଦୁର୍ବୃତ୍ତ ଓ ଓଆଇସି ମୁହାଁମୁହିଁ ହୋଇଯାଇଥିଲେ। ପୁଲିସ୍‌ ନିଜକୁ ପୁଲିସ୍‌ ପରିଚୟ ଦେଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ଶୁଣିବାକୁ ରାଜି ନ ଥିଲେ। ବରଂ, ଖଣ୍ଡା ଦେଖାଇ ଆକ୍ରମଣ କରିଥିଲେ। ଏହା ଦେଖି ଶ୍ରୀ ସେଠୀଙ୍କ ଡ୍ରାଇଭର ସେଠାରୁ ଭୟରେ ଦୌଡ଼ି ପଳାଇଥିଲେ। ତେବେ, ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରୀ ସେଠୀ କାର୍ ଭିତରେ ପଶି ଡୋରକୁ ସେଣ୍ଟ୍ରାଲ୍ ଲକ୍ କରିଦେବାରୁ ଲୁଟେରା ଦଳ କାଚ ଭାଙ୍ଗି ସେଠାରୁ ଫେରାର୍ ହୋଇଯାଇଥିଲେ।

ଏହାପରେ ଶ୍ରୀ ସେଠୀ ପୁଣି ଥାନାକୁ ଯାଇ ପୁଲିସ୍‌ ଦଳ ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଜାତୀୟ ରାଜପଥରୁ ୩ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହେବା ସହ ଏକ କାର ବି ଜବତ କରିଥିଲେ। ତେବେ ଏହି ଗ୍ୟାଙ୍ଗରେ ଥିବା ଅନ୍ୟ କିଛି ସଦସ୍ୟ ସେଠାରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

By amfnews

Related Post