Sun. Mar 8th, 2026

କୋଡିଙ୍ଗାରେ ଘନଘନ ବିଦ୍ୟୁତ କାଟ୍, ବଢୁଛି ଅସନ୍ତୋଷ

216 Views

କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ଅଞ୍ଚଳରେ ପ୍ରାୟ ଦୁଇ ମାସ ହେବ ବିଦ୍ୟୁତ ବିଭ୍ରାଟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। କୋଡିଙ୍ଗା ଅଞ୍ଚଳକୁ ଏଥି ପୂର୍ବରୁ କୋରାପୁଟ ଜିଲ୍ଲା କୋଟପାଡ ଦେଇ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଗତ ଦୁଇ ମାସ ହେବ କୋଡିଙ୍ଗା ଅଞ୍ଚଳରେ ଦିନକୁ ୨ରୁ ୩ ଘଣ୍ଟା ହିଁ ବିଦ୍ୟୁତ ଯୋଗାଣ ହେଉଛି। ଯାହାଫଳରେ ପାନୀୟ ଜଳର ସଂକଟ ଉତ୍କଟ ହେବାରେ ଲାଗିଛି। ଏପରିକି ବ୍ୟାଙ୍କ ସେବା, ତହସିଲ ଏବଂ ଅନ୍ୟ କାର୍ଯ୍ୟାଳୟ ଗୁଡିକରେ ଲୋକଙ୍କର କାମ ସୂଚାରୁ ରୂପେ ହୋଇପାରୁନାହିଁ। ଏହି ଅଞ୍ଚଳର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଦୁଇମାସ ହେବ ଅନ୍ୟତ୍ର ଡେପୁଟେସନରେ ଚାଲିଯାଇଛନ୍ତି। ତାଙ୍କ ସ୍ଥାନରେ ଅନ୍ୟ କେହି ଦାୟିତ୍ବରେ ନାହାନ୍ତି। ଯାହାଫଳରେ ଅଞ୍ଚଳବାସୀ ସମସ୍ୟା ଜଣାଇବା ପାଇଁ କାହା ପାଖକୁ ଯିବେ ବୁଝି ପାରୁନାହାନ୍ତି।

ସେହିପରି ଗତ ୭ଦିନ ହେବ କୋଡିଙ୍ଗା ଅଞ୍ଚଳ ପାଇଁ ଥିବା ଲାଇନମ୍ୟାନ ମଧ୍ୟ ଛୁଟିରେ ଯାଇଛନ୍ତି। ବିଡମ୍ବନାର ବିଷୟ ଲାଇନମ୍ୟାନ ଛୁଟିରେ ଯାଇଥିବା ବେଳେ ତାଙ୍କ ସ୍ଥାନରେ କାହାରିକୁ ଦାୟିତ୍ବ ଦିଆଯାଇନାହିଁ। ବିଦ୍ୟୁତ ବିଭାଗ ଏସଡିଓ ପାପଡାହାଣ୍ଡିଙ୍କୁ ଏ ସଂପର୍କରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ। ତେଣୁ ଆଜି ଅଞ୍ଚଳବାସୀ କୋଡିଙ୍ଗା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରି ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ ପଦସ୍ତ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଲିଖିତ ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରକାଶ ଥାଉକି, କୋଡିଙ୍ଗାରେ ଏକ ୩୩କେଭି ସବଷ୍ଟେସନ ନିର୍ମାଣ କାର୍ଯ୍ୟ ଚାଲିଛି। କୁହାଯାଉଛି ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଦୂର ହେବ। କିନ୍ତୁ, ଦୀର୍ଘ ୪ବର୍ଷ ହେବ ଏହି ପ୍ରକଳ୍ପ ଶେଷ ହେବାର ନା ନେଉନାହିଁ।

ବିଭାଗୀୟ ଅଧିକାରୀଙ୍କୁ ଏ ସଂପର୍କରେ ଅଞ୍ଚଳବାସୀ ଅନେକ ଥର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏ ସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଆର.ଆର ଚୌଧୁରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଦିନକୁ ଦିନ ବିଦ୍ୟୁତ ଉପଭୋକ୍ତା ବଢିବାରେ ଲାଗିଥିବା ବେଳେ ବିଭାଗରେ ବ୍ୟାପକ କର୍ମଚାରୀ ଅଭାବ ରହିଛି। ତେଣୁ ମରାମତି କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନାହିଁ। ଏହି ଅଞ୍ଚଳର ଉପଭୋକ୍ତାଙ୍କର ଆକ୍ରୋଷର ସାମନା କରିନପାରିବାରୁ ଦୁଇ ମାସର ବିଦ୍ୟୁତ ବିଲ କଲେକ୍ସନ କରିବା ପାଇଁ କୌଣସି ଅଧିକାରୀ ଆସୁନାହାନ୍ତି। ଅପର ପକ୍ଷରେ ବିଦ୍ୟୁତ ସମସ୍ୟାକୁ ନେଇ ଏହି ଅଞ୍ଚଳରେ ଜନଅସନ୍ତୋଷ ବଢିବାରେ ଲାଗିଛି।

By amfnews

Related Post