Sun. Mar 8th, 2026

କୋଟି କୋଟି ଟଙ୍କାର ବିଜ୍ଞାପନ ଅଫର୍‌କୁ ମନା କରି ଦେଇଛନ୍ତି ଏହି ସବୁ ସେଲେବ୍ରିଟି

215 Views

ମୁମ୍ବାଇ  :  ଫିଲ୍ମ ଇଣ୍ଡଷ୍ଟ୍ରି  ଓ ବିଜ୍ଞାପନ ଦୁନିଆ ପରସ୍ପର ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଯେଉଁ ସେଲେବ୍ରିଟି ଯେତେ ହିଟ୍‌, ବିଜ୍ଞାପନ ଦୁନିଆରେ ତାଙ୍କ ଭାଉ ସେତେ ଅଧିକ। ସେମାନଙ୍କ ନିକଟକୁ ଛୁଟେ ବିଜ୍ଞାପନର ମାଳ ମାଳ ଅଫର୍‌।  ବହୁ ବ୍ରାଣ୍ଡର ପ୍ରମୋସନ୍‌ କରି ସେମାନେ ମଧ୍ୟ ହୋଇଯାନ୍ତି ମାଲାମାଲା। କିନ୍ତୁ ଏପରି ବହୁ ସେଲେବ୍ରିଟି ଅଛନ୍ତି, ଯେଉଁମାନେ ବିଜ୍ଞାପନ ବାଛିବା ସମୟରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇଥା’ନ୍ତି। ସେମାନେ ସବୁ ବିଜ୍ଞାପନ କରିବାକୁ ରାଜି ହୁଅନ୍ତି ନାହିଁ। ବିଜ୍ଞାପନ ଚୟନ ବେଳେ ସେମାନେ ନୈତିକତାକୁ ବି ଗୁରୁତ୍ୱ ଦିଅନ୍ତି। ଆସନ୍ତୁ ଜାଣିବା, ସେଇ ସବୁ କଳାକାରମାନଙ୍କ ବିଷୟରେ ଯେଉଁମାନେ ବିଜ୍ଞାପନ ଚୟନ କଲା ବେଳେ ଏହାର ନୈତିକତା ଓ ସାମାଜିକ ଦିଗକୁ ଗୁରୁତ୍ୱ ଦେଇ ଥାଆନ୍ତି।

ଅକ୍ଷୟ କୁମାର: ବଲିଉଡରେ ଖିଲାଡି ଷ୍ଟାର ଅକ୍ଷୟ କୁମାର ପ୍ରତି ବର୍ଷ ବହୁ ବିଜ୍ଞାପନରେ ଅଭିନୟ କରନ୍ତି। ଏଥିରୁ ସେ କୋଟି କୋଟି ଟଙ୍କା ଆୟ କରନ୍ତି। କିନ୍ତୁ ଯେତେବେଳେ ମୌଳିକ ଦାୟିତ୍ୱର ପ୍ରଶ୍ନ ଉଠେ, ସେ ଯେକୌଣସି ବ୍ରାଣ୍ଡ ହେଉ ନା କାହିଁକି ତତ୍‌କ୍ଷଣାତ ମନା କରି ଦିଅନ୍ତି। ତାଙ୍କ ନିକଟକୁ ଏକ ପାନ ମସଲାର ବିଜ୍ଞାପନ ଅଫର୍ ଆସିଥିଲା। ସେ ଏହାକୁ ମନା କରି ଦେଇଥିଲେ।

ଅମିତାଭ ବଚ୍ଚନ:  ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଏବେବି ଆକ୍ଟିଭ ଅଛନ୍ତି। କେବଳ ଫିଲ୍ମ ନୁହେଁ, ବିଜ୍ଞାପନ ଦୁନିଆରେ ବି ତାଙ୍କ କ୍ରେଜ୍‌ କମିନି। ଏକ ସମୟ ଥିଲା, ଯେତେବେଳେ ଅମିତାଭ ଥଣ୍ଡା ପାନୀୟ ବିଜ୍ଞାପନ କରୁଥିଲେ। କିନ୍ତୁ ଏହା ବି କ୍ଷତିକାରକ ବୋଲି ଜାଣିବା ପରେ ସେ ଏପରି ବିଜ୍ଞାପନରୁ ଦୂରେଇ ଯାଇଥିଲେ।

ଅମୀର ଖାନ: ଅମୀର ଖାନ ଏପରି ଜଣେ ସୁପରଷ୍ଟାର ଯିଏ ବିଜ୍ଞାପନ ଦୁନିଆଠାରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି। ସେ ଯେମିତି ବାଛି ବାଛି ଫିଲ୍ମ କରନ୍ତି, ସେମିତି ବାଛି ବାଛି ବିଜ୍ଞାପନ କରନ୍ତି। ଲୋକଙ୍କର କ୍ଷତି ହେଲା ଭଳି ବିଜ୍ଞାପନ ସେ କରିବାକୁ ଚାହାଁନ୍ତି ନାହିଁ।

ରଣବୀର କପୁର: ବଲିଉଡର ହ୍ୟାଣ୍ଡସମ୍‌ ହିରୋ ରଣବୀର କପୁର ଖୁବ୍‌ କମ୍‌ ଦିନରେ ଆଗଧାଡ଼ିର ନାୟକ ହୋଇପାରିଛନ୍ତି। ହେଲେ ସେ ବହୁତ ଭାବିଚିନ୍ତି  ବିଜ୍ଞାପନ ସାଇନ୍‌ କରନ୍ତି। ରଣବୀରଙ୍କ ନିକଟକୁ ଏକ ଫେୟାରନେସ୍‌ କ୍ରିମ୍‌ର ବିଜ୍ଞାପନ ପାଇଁ ଅଫର୍ ଆସିଥିଲା। କିନ୍ତୁ ସେ ଏହାକୁ ମନା କରି ଦେଇଥିଲେ।

କଙ୍ଗନା ରାଣାୱତ:  ବଲିଉଡର କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାଣାୱତ ମଧ୍ୟ ଏ ଦିଗରେ ପୂରା ସଚେତନ। ସେ ଏକ ଫେୟାରନେସ୍‌ କ୍ରିମ୍‌ର ବିଜ୍ଞାପନ କରିବାକୁ ସିଧାସଳଖ ମନା କରି ଦେଇଥିଲେ।

ସାଇ ପଲ୍ଲବୀ:  ଦକ୍ଷିଣ ଭାରତର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ସାଇ ପଲ୍ଲବୀ।  ତାଙ୍କ ଲୋକପ୍ରିୟତାର ଫାଇଦା ଉଠାଇବାକୁ ବହୁ ବିଜ୍ଞାପନ କମ୍ପାନୀ ଅଫର୍‌ ନେଇ ତାଙ୍କ ନିକଟକୁ ଯାଇଛନ୍ତି। ତେବେ ସେ ଖୁବ୍ ଭାବିଚିନ୍ତି ବିଜ୍ଞାପନ ଅଫର୍ ଗ୍ରହଣ କରନ୍ତି। ତାଙ୍କୁ ଏକ ଫେୟାରନେସ୍‌ କ୍ରିମ୍‌ର ବିଜ୍ଞାପନ କରିବାକୁ ୨ କୋଟି ଟଙ୍କାର ଅଫର୍‌ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ।

By amfnews

Related Post