Sun. Mar 8th, 2026

କୋଇଲା ଖଣିରେ ମାଟି ଧସିବା ଘଟଣା: ଏବେ ବି ୩ ଶ୍ରମିକ ନିଖୋଜ

155 Views

ଅନୁଗୋଳ : ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଏବେ ବି ୩  ଶ୍ରମିକ ନିଖୋଜ ଅଛନ୍ତି। ମାଟିତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ହେଲେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ଅସୁବିଧା ହୋଇଛି। ଏନଡିଆରଏଫର ୩୦ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ତେବେ ମାଟି ତଳେ ଦବି ରହିଥିବା ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ ବୋଲି ଗତକାଲି ଜିଲ୍ଲାପାଳ ଆଶଙ୍କା କରିଥିଲେ। ଜୀବିତ ଅବସ୍ଥାରେ ଉଦ୍ଧାର ୯ ଶ୍ରମିକଙ୍କର ଚିକିତ୍ସା ଚାଲିଛି।  ମାଟି ତଳୁ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଖଣିରେ ଶ୍ରମିକ ସୁରକ୍ଷାକୁ ଅଗ୍ରାଧିକାର ନେଇ ଆନ୍ଦୋଳନ ହୋଇଛି। ଖଣି କର୍ତ୍ତୃପକ୍ଷ ସବୁ ପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏମସିଏଲ୍‌ର ଭରତପୁର କୋଇଲା ଖଣିରେ ସିଫ୍ଟ ବଦଳ ସମୟ ହୋଇଥିବାରୁ କିଛି ଶ୍ରମିକ ବାହାରୁଥିଲେ ଓ ଆଉ କିଛି ପ୍ରବେଶ କରୁଥିଲେ। ହେଲେ ହଠାତ୍ ଖଣିରେ ବ୍ଲାଷ୍ଟିଂ ଯୋଗୁ ଆଖି ପିଛୁଳାକେ ଧସି ପଡିଥିଲା ପାହାଡ଼ ସଦୃଶ ମାଟି। ଆଉ ତା’ ତଳେ ୧୩ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିଲେ।

By amfnews

Related Post