Tue. Jun 10th, 2025

କୋରେଇ ଶିଶୁ ବିକ୍ରି ଘଟଣା:ଶିଶୁ କନ୍ୟାକୁ ଆପଣେଇ‌େଲ ମା’

By amfnews Dec 8, 2018 #Featured
200 Views

ଯାଜପୁରସଦର, ଡିସେମ୍ବର ୮: ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରି ପୁଲିସ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ। ଶିଶୁ କନ୍ୟାଟିକୁ ମା’ ଏବେ ଆପଣେଇ ନେଇଛି। ଫଳରେ ପିଲାକୁ ପାଇବା ପାଇଁ ଦୌଡୁ ଥିବା ମା’କୁ ଆଶ୍ବସ୍ତି ମିଳିଛି। ପିଲାପାଇଁ ଗାଁରେ ଅପବାଦ ସହୁଥିବା ମା’ ନିଜର ଭୁଲ ବୁଝିପାରି ଶିଶୁ ମଙ୍ଗଳ କମିଟି ପାଖରୁ ନେବା ପାଇଁ ପ୍ରାର୍ଥନା କରିଥିଲେ। ଆଜି ପରିବାରକୁ ଡାକି ପିଲାଟିକୁ ହସ୍ତାନ୍ତର କରାଯାଇଛି। ସୂଚନା ଥାଉକି, କୋରେଇ ଥାନା ଅସନଝର ପଞ୍ଚାୟତ ସୋଲବନ୍ଦୀ ଗାଁର ଚେମା ନାଥ ଓ କଣ୍ଡେଇ ନାଥ ନବଜାତ ଶିଶୁ କନ୍ୟାକୁ ଅନ୍ୟ ହାତରେ ଟେକି ଦେଇଥିଲେ। ଏହି ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲା। ଏସପିଙ୍କ ନିର୍ଦେଶ କ୍ରମେ କୋରେଇ ପୁଲିସ ରାତି ଅଧିଆ ଚଢ଼ଉ କରି ପିଲାଟିକୁ ଚୌଦ୍ବାରରୁ ଉଦ୍ଧାର କରିଥିଲେ।

ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହଯୋଗରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ପିଲାଟି ସ୍ବତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ରହୁଥିଲା। ପିଲା ବିକ୍ରିର ଅଭିଯୋଗ ଆସିବା ଦିନ ଠାରୁ ହିଁ ଉକ୍ତ ପରିବାର ଗାଁରେ ଏକ ପ୍ରକାର ଏକ ଘରିକିଆ ହୋଇ ରହିଥିଲେ। ଗାଁ ସାହିପଡିଶାଙ୍କ ଟାହି ଟାପରା ଶୁଣିଥିଲେ। ଏଥିରେ ବ୍ୟଥିତ ହୋଇ ଚେମା ନିଜର କନ୍ୟା ସନ୍ତାନକୁ ନେଇ ଯିବାକୁ ଜିଦ୍ ଧରିଥିଲେ। ଆଜି ଶିଶୁ ମଙ୍ଗଳ କମିଟି ଉକ୍ତ ପିଲାକୁ ତାର ପରିବାରକୁ ହସ୍ତାନ୍ତର କରିଛି। ହସ୍ତାନ୍ତର ସମୟରେ ଅଧ୍ୟକ୍ଷା ରୀତା ବେହେରା, ସଦସ୍ୟ ସୁବାସ ଚନ୍ଦ୍ର ଦେବତା, ହୃଷୀକେଶ ପଣ୍ଡା, ରୁଦ୍ରନାରାୟଣ ପୃଷ୍ଟି, ଶୁଭ୍ରାଶୁ ରାୟ , ଅସନଝର ସରପଞ୍ଚ ନିରଜଂନ ବାରିକ, ଶିଶୁ ସୁରକ୍ଷା ୟୁନିଟର ଅର୍ଚ୍ଚନା କୁମାରୀ ସାମନ୍ତ, ମହିର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post