Thu. May 1st, 2025

କୋଟିଆରେ ମୁହାଁମୁହିଁ : ପ୍ରଶାସନ ପାଇଁ ସମସ୍ୟା ଭାଷା

By amfnews Jan 9, 2019 #Featured
110 Views

କୋରାପୁଟ/ପଟାଙ୍ଗୀ , ଜାନୁଆରୀ ୦୯ : କୋଟିଆରେ ଆନ୍ଧ୍ରପ୍ରଦେଶର ‘ଜନ୍ମଭୂମି’’ କାର୍ଯ୍ୟକ୍ରମ ପରେ କୋରାପୁଟ ପ୍ରଶାସନର ଚେତା ପଶିଛି। ଦୁଇଦିନ ଧରି ଏହି ବିବାଦୀୟ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ପରେ ଆଜି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସେଠାରେ ପହଞ୍ଚିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି। ମାତ୍ର, କୋରାପୁଟ ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିଛି ଭାଷା।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡା ଗ୍ରାମକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ତେବେ ଚଳିତମାସ ପ୍ରଥମ ସପ୍ତାହରୁ ଏହି ବିବାଦ ତୀବ୍ର ହେବାରେ ଲାଗିଛି। କୋଟିଆକୁ ନିଜର କରିବା ପାଇଁ ଉଭୟ ରାଜ୍ୟ ପୂରା ଦମ ଲଗାଇ ଦେଇଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ କେହି ଛାଡିବା ମୁଡରେ ନାହାନ୍ତି।

ଯେନତେନ ଉପାୟରେ କୋଟିଆବାସୀଙ୍କୁ ପ୍ରଭାବିତ କରି ନିଜ ଆଡକୁ ଟାଣିବା ପାଇଁ ଲାଗି ପଡିଛନ୍ତି। ଆଜି କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କୋଟିଆ ପଞ୍ଚାୟତର ଫଗୁଣସିନେରୀ ଯାଇ ସେଠାକାର ସ୍ଥିତି ଦେଖିଥିଲେ। ଓଡ଼ିଶା ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିବା ସହ ଅଗ୍ରଗତି ଯାଞ୍ଚ  କରିଥିଲେ। ଲୋକମାନେ ଯେମିତି ସରକାରୀ ସୁବିଧା ସୁଯୋଗ ସବୁ ପାଇବେ ତାହା ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ କୋଟିଆବାସୀଙ୍କୁ ନିଜ ପାଖରେ ରଖିବାକୁ ଦୁଇ ରାଜ୍ୟ ଜୋରସାରରେ ଉଦ୍ୟମ ଚଳାଇଛନ୍ତି।

ତେବେ କୋଟିଆ ପଞ୍ଚାୟତର କିଛି ଗ୍ରାମର ଲୋକେ ଓଡ଼ିଶା ବୁଝି ପାରୁ ନ ଥିବାରୁ ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଓଡ଼ିଶା ପକ୍ଷରୁ ବିଭିନ୍ନ ଯୋଜନା ସଂପର୍କରେ ଲଗାଯାଇଥିବା ପୋଷ୍ଟର, ବ୍ୟାନର ଲୋକେ ପଢି ପାରୁ ନାହାନ୍ତି। କ’ଣ ପାଇଁ ଏହା ଲାଗିଛି ତାହା ମଧ୍ୟ ଜାଣି ପାରୁ ନାହାନ୍ତି। ଫଳରେ ଯୋଜନାର ସଫଳ ରୂପାୟନ ନେଇ ସମସ୍ୟା ସୃଷ୍ଟି ହେଉଛି। ଅପରପକ୍ଷରେ ଅଧିକାରୀମାନେ ମଧ୍ୟ ଲୋକଙ୍କ ସହ ସିଧାସଳଖ ଭାବ ବିନିମୟ କରିବାରେ ଅସୁବିଧା ହେଉଛି। ତେଣୁ ଲୋକଙ୍କୁ ଓଡ଼ିଆ ଶିଖାଇବା ଉପରେ ପ୍ରଶାସନ ଗୁରୁତ୍ବ ଦେବା ଜରୁରୀ ହୋଇ ପଡିଛି।

By amfnews

Related Post