Tue. Jun 10th, 2025

କୋଟିଆରେ ଆନ୍ଧ୍ରର ‘ଜନ୍ମଭୂମି’

By amfnews Jan 4, 2019 #Featured
321 Views

କୋରାପୁଟ : କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପୁଣିଥରେ ନିଜର ଆଧିପତ୍ୟ ଜାହିର୍‌ କରିଛନ୍ତି। ପାଖାପାଖି ମାସେ ହେଲା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କୋଟିଆବାସୀଙ୍କ ସହ ସଂପର୍କ ଯୋଡିବାକୁ ଭରପୂର ଉଦ୍ୟମ କରିଆସୁଥିବାବେଳେ ଗତକାଲିଠାରୁ ‘ଜନ୍ମଭୂମି’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିବାଦୀୟ କୋଟିଆର ଗାଁ ଗାଁ ବୁଲି ଆନ୍ଧ୍ର ଅଧିକାରୀ ଲୋକଙ୍କୁ ସରକାରୀ ଯୋଜନା ସହ ଯୋଡିବାର ପ୍ରକ୍ରିୟା ଜାରି ରଖିଛନ୍ତି। ଏପଟେ ଓଡ଼ିଶା ଚୁପ ବସିଥିବାରୁ ଆନ୍ଧ୍ରର ଏହି ମନମାନୀ ଦିନକୁ ଦିନ ବଢି ବଢି ଚାଲିଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡା ଗ୍ରାମକୁ ନେଇ ଦୀର୍ଘଦିନ ହେଲା ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଉଭୟ ରାଜ୍ୟ ଏହି ବିବାଦୀୟ ଗାଁ ଗୁଡିକୁ ନିଜର ବୋଲି ଦାବି କରୁଥିଲା ବେଳେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଏହି ଗାଁ ଗୁଡିକ ଓଡ଼ିଶାର ବୋଲି ବହୁ ପ୍ରମାଣ ଥିବା ସତ୍ତ୍ବେ ଆନ୍ଧ୍ର ଏହାକୁ କବ୍‌ଜା କରିବାକୁ ଚେଷ୍ଟା କରୁଛି। କିନ୍ତୁ ପାଖାପାଖି ମାସେ ହେଲା ଆନ୍ଧ୍ରର ଏମିତି ଅନୁପ୍ରବେଶ ବୃଦ୍ଧି ପାଇଛି। ଏବେ ଏହାକୁ ବଳି ଯାଇଛି ‘ଜନ୍ମଭୂମି’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆନ୍ଧ୍ରର ଅଧିକାରୀମାନେ କୋଟିଆ ପଞ୍ଚାୟତର ନେରେଡିବାଲସାଦ, ତାଡିବାଲସା,ଫଗୁଣସିନେରୀ, ଫାଟୁସିନେରୀ, କନାଦୋର, ପନିକି ଆଦି ଗ୍ରାମରେ ଡେରା ପକାଇ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଉଛନ୍ତି। ଏଥିସହ ତଳ ଗଂଜେଇ ପଦର ଗାଁକୁ ଯାଇ ଛତୁଆ, ଅଣ୍ଡା ଆଦି ବାଣ୍ଟିଛନ୍ତି। ଏହା ଜଣାପଡିବା ପରେ ପ୍ରଶାସନ ତତ୍ପର ହୋଇ ଉଠିଛି। ଆଜି ପଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ ବିବାଦୀୟ ଗ୍ରାମପୁଞ୍ଜକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆନ୍ଧ୍ରର କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି। କୋଟିଆ ଅଂଚଳର ବିକାଶ ପାଇଁ ଓଡ଼ିଶା ପକ୍ଷରୁ ଇତି ମଧ୍ୟରେ ବହୁତ କାମ ହାତକୁ ନିଆଯାଇଥିଲା ବେଳେ ସେମାନେ ମଝିରେ ମଝିରେ ଆସି ଏମିତି ବିବାଦୀୟ ସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି।

By amfnews

Related Post