Sun. Jun 8th, 2025

କୋଟାରେ ଫସିଥିବା ୬୫ ଛାତ୍ରଛାତ୍ରୀ ଝାରସୁଗୁଡ଼ା ଫେରିଲେ

By amfnews May 4, 2020 #Featured
155 Views

ଝାରସୁଗୁଡା: ଗତକାଲି ରାଜସ୍ଥାନର କୋଟାରେ ଫସିଥିବା ୬୫ ଛାତ୍ରଛାତ୍ରୀ ଓ ୫ଜଣ ଅଭିଭାବକ ଝାରସୁଗୁଡ଼ା ଫେରିଥିବା ବେଳେ, ଆଉ ୨୯ ଛାତ୍ରଛାତ୍ରୀ କାଲି ପହଞ୍ଚିବେ ବୋଲି ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି କୋଟାରୁ ଆଉ ଏକ ବସରେ ୨୯ ଛାତ୍ରଛାତ୍ରୀ କୋଟାରୁ ବାହାରି ଝାରସୁଗୁଡ଼ା ଅଭିମୁଖେ ବାହାରିଛନ୍ତି। ସେମାନେ ଆସନ୍ତାକାଲି ଝାରସୁଗୁଡାରେ ପହଞ୍ଚିବେ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍‌ ଲାଗୁ ହେବା ଫଳରେ ଝାରସୁଗୁଡ଼ାର ଶତାଧିକ ଛାତ୍ରଛାତ୍ରୀ ରାଜସ୍ଥାନର କୋଟାରେ ଫସି ରହିଥିଲେ। ଏହି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ କୋଚିଂ ନେଉଥିଲେ। ତେବେ ଲକ୍‌ଡାଉନ୍‌ ଯୋଗୁଁ ଯାତାୟତ ବନ୍ଦ ହୋଇଯାଇଥିବା ବେଳେ ସେଠାରୁ ଫେରିବାର କୌଣସି ଉପାୟ ନଥିଲା। ଏଭଳି ପରିସ୍ଥିତିରେ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ ଏଠାରେ ପଢ଼ୁଥିବା ୩୧ ଜଣ ଛାତ୍ରୀ ଓ ୩୪ ଜଣ ଛାତ୍ର ମୋଟ ୬୫ ଜଣଙ୍କୁ କୋଟାରୁ ଝାରସୁଗୁଡ଼ା ଫେରାଇ ଅଣାଯିବାର ବ୍ୟବସ୍ଥା କରିଥିଲେ। ଗତ ୧ ତାରିଖ ଦିନ ଏହି ଛାତ୍ରଛାତ୍ରୀ କୋଟାରୁ ବାହାରି ଥିବା ବେଳେ ଗତକାଲି ଦିନ ୧୧ ଟାରେ ଝାରସୁଗୁଡ଼ାଠାରେ ପହଞ୍ଚିଥିଲେ।
ପ୍ରଶାସନ ପକ୍ଷରୁ ପୁଲିସ ସୁରକ୍ଷାରେ ଏହି ଦୁଇ ବସ୍‌କୁ ବେଲପାହାଡ଼ଠାରେ ନିର୍ମିତ ଏକ ବାଳକ ହଷ୍ଟେଲକୁ ନିଆଯାଇଥିଲା। ସେଠାରେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ହଷ୍ଟେଲରେ ୧୪ ଦିନ କ୍ବାରେଣ୍ଟାଇନ୍‌ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ତେବେ ଯେଉଁ ୪୮ଜଣଙ୍କ ଘରେ ଅଲଗା, କୋଠରୀ ଓ ପାଇଖାନା ସୁବିଧା ଅଛି ସେମାନେ ନିଜ ପିଲାମାନଙ୍କୁ ନେଇ ହୋମ କ୍ବାରେଣ୍ଟାଇନ୍‌ରେ ରଖିବାର ନିଷ୍ପତ୍ତି ନେଇଥିଲେ। ଅପରପକ୍ଷରେ ଯେଉଁ ୨୧ଜଣଙ୍କ ଘରେ ଅଲଗା ବ୍ୟବସ୍ଥା ନାହିଁ, ସେମାନଙ୍କୁ ଏହି କ୍ବାରେଣ୍ଟାଇନ୍‌ କେନ୍ଦ୍ରରେ ୧୪ ଦିନ ରହିବା ପାଇଁ  ବ୍ୟବସ୍ଥା କରାଯାଇଥିଲା।

By amfnews

Related Post