Fri. Mar 21st, 2025

କେରଳ ବନ୍ୟାରେ ୩୦ ମୃତ, ପାଣିପାଗ ରିପୋର୍ଟ କହୁଛି ଆହୁରି ବର୍ଷିବ

By amfnews Aug 9, 2019 #Featured
250 Views

ନୂଆଦିଲ୍ଲୀ  : ମହାରାଷ୍ଟ୍ର, କର୍ଣ୍ଣାଟକା ପରେ ଏବେ କେରଳରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଇଦ୍ଦୁକି, କୋଝିକୋଡ଼, ମୂଳପୂରମ ଓ ୱାୟନାଡ଼ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ରାଜ୍ୟର ଅଧିକାଂଶ ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ଏ ଯାଏ ରାଜ୍ୟରେ ଲଗାଣ ବର୍ଷା ଜନିତ ପରିସ୍ଥିତି ଯୋଗୁ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ବନ୍ୟା ସ୍ଥିତିକୁ ନଜରରେ ରଖି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଜରୁରୀ ବୈଠକ କରିଛନ୍ତି। ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ଓ ଲୋକେ ବ୍ୟସ୍ତ ନହେବା ପାଇଁ କେରଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି ଏଥିସହ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ଉଦ୍ଧାର କାର୍ଯ୍ୟରେ ୧୦୦ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ଥିବା ଜଣାପଡ଼ିଛି। ପାଖାପାଖି ୨୨ ହଜାରରୁ ଅଧିକ ଲୋକଙ୍କୁ ୩୧୫ଟି ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସେହପରି କୋଚି ଅନ୍ତର୍ଜାତୀୟ ବିମାନବନ୍ଦରକୁ ରବିବାର ଅପରାହ୍ନ ୩ଟା ଯାଏଁ ବନ୍ଦ ରଖାଯାଇଛି । ବିମାନବନ୍ଦରରେ ବନ୍ୟାପାଣି ପଶି ଯାଇଥିବାରୁ ବିମାନ ସେବା ବ୍ୟାହତ ହୋଇଛି।

କେରଳ ୱାୟନାଡ଼ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଲୋକଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏଥିସହ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ୍ କରିଛନ୍ତି। ସେହପରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ କେରଳ ବନ୍ୟା ବାବଦରେ ଅବଗତ କରାଇଛନ୍ତି ରାହୁଲ ଗାନ୍ଧି। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶୃତି ଦେଇଥିବା ରାହୁଲ କହିଛନ୍ତି। ସେହପରି ମହାରାଷ୍ଟ୍ରରେ ବନ୍ୟାରେ ୩୦ ଜଣ ପ୍ରାଣ ହରାଇଥିବା ବେଳେ କର୍ଣ୍ନାଟକାରେ ୯ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି।

By amfnews

Related Post