Mon. Apr 21st, 2025

କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ୍‌ ‌ଯୌନ ଶୋଷଣ ମାମଲା: ସଭାପତି ପଦରୁ ପ୍ରମୋଦ ସାହୁ ବିଦା

By amfnews Nov 27, 2019 #Featured
179 Views

କେନ୍ଦ୍ରାପଡ଼ା: ଯୌନ ଶୋଷଣ ଅପରାଧରେ ଗିରଫ ହେଇ ଜେଲ୍ ଯାଇଥିବା କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ରାଜ୍ୟ ସମବାୟ ସମିତି ସମୂହର ରେଜିଷ୍ଟ୍ରାର୍‌ ବିଭୂତି ଭୂଷଣ ନାୟକ ଆଜି ଶ୍ରୀ ସାହୁଙ୍କୁ ସଭାପତି ପଦରୁ ବହିଷ୍କାର କରିଛନ୍ତି। ଅଭିଯୁକ୍ତ ଶ୍ରୀ ସାହୁଙ୍କ ନାଁରେ ଅଧସ୍ତନ ମହିଳା କର୍ମଚାରୀ ତଥା ପୀଡ଼ିତା ଗତ ଏପ୍ରିଲ୍ ୩୦ତାରିଖରେ ଟାଉନ ଥାନା ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ ଅଭିଯୋଗ ଗ୍ରହଣ ନ କରିବାରୁ ପୀଡ଼ିତା କୋର୍ଟଙ୍କ ଆଶ୍ରୟ ନେଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ପରେ ପୁଲିସ ଅଭିଯୋଗର ତିନି ମାସ ପରେ ଜୁଲାଇ ୨୩ତାରିଖରେ ମାମଲା ପଞ୍ଜୀକରଣ କରିଥିଲା। କିନ୍ତୁ ମାମଲା ରୁଜୁର ତିନି ମାସ ଯାଏ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଫଳରେ ପୁଲିସ ଶ୍ରୀ ସାହୁଙ୍କୁ ବଣିଆମାଳସ୍ଥିତ ବାସଭବନରୁ ଗତ ୩ତାରିଖ ରାତିରେ ଉଠାଇ ଆଣି ୪ତାରିଖରେ ଜେଲ୍‌ ପଠାଇଥିଲା।

ଶ୍ରୀ ସାହୁଙ୍କ ଗିରଫ ପରେ ରାଜ୍ୟ କୋ–ଅପରେଟିଭ୍ ସୋସାଇଟିର ରେଜିଷ୍ଟ୍ରାର୍ ଶ୍ରୀ ପଟ୍ଟନାୟକ ଓଡ଼ିଶା କୋ–ଅପରେଟିଭ୍ ସୋସାଇଟି ଆଇନ ୧୯୬୨, ସେକ୍ସନ୍ ୩୨ରେ ନୋଟିସ୍‌ ଜାରି କରି ସଭାପତି ପଦରୁ କାହିଁକି ସଭାପତି ଓ ବୋର୍ଡ ସଭ୍ୟରୁ ବହିଷ୍କାର କରାଯିବ ନାହିଁ, ତାହା ସାତ ଦିନ ଭିତରେ ଜଣାଇବାକୁ ନିର୍ଦେଶ ଦେଇଥିଲେ। ଏପରିକି, ନୋଟିସ୍‌ରେ ଶ୍ରୀ ସାହୁଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅତ୍ୟନ୍ତ ସଂଗିନ ବୋଲି ଦର୍ଶାଯିବା ସହ ଏହାଦ୍ବାରା ସୋସାଇଟିର ଭାବମୂର୍ତ୍ତି କ୍ଷୁଣ୍ଣ ହେବା ସହ ବୋର୍ଡ ସଭ୍ୟ ଓ ସାଧାରଣ ଲୋକଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯାଇଛି ବୋଲି ଉଲ୍ଲେଖ କରିଥିଲେ। ଏଣୁ ଶ୍ରୀ ସାହୁ ବେଶି ଦିନ ସଭ୍ୟ ଓ ସଭାପତି ଭାବେ ରହିବା ଉଭୟ ସୋସାଇଟି ଓ ସମାଜର ସ୍ବାର୍ଥ ପାଇଁ କ୍ଷତିକାରକ ବୋଲି ରେଜିଷ୍ଟ୍ରାର୍ ନୋଟିସ୍‌ରେ ଉଲ୍ଲେଖ କରିଥିଲେ।

By amfnews

Related Post