Wed. Mar 19th, 2025

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ରେ ପୁରୁଷ ଲୋକ ହାତେଇଛନ୍ତି ବିଧବା ଭତ୍ତା! ୬ ସଧବାଙ୍କୁ ବି ମିଳୁଛି

By amfnews Nov 19, 2019 #Featured
148 Views

ହାଟଡିହି : ପୁରୁଷ ଲୋକ ହାତେଇଛନ୍ତି ବିଧବା ଭତ୍ତା! ଖାଲି ସେତିକି ନୁହେଁ, ୬ ଜଣ ସଧବାଙ୍କୁ ବି ଭତ୍ତା ମିଳୁଛି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅନ୍ତଗର୍ତ ଶାଳଣିଆ ପଞ୍ଚାୟତରେ ଏହିଭଳି ଭାବେ ଭତ୍ତା ପ୍ରଦାନରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି।

ଶାଳଣିଆଁ ପଞ୍ଚାୟତର ବ୍ରାହ୍ମଣୀକଳା ଗ୍ରାମର ଦୁଇଭାଇ ରାଇ ଜେନା ପି. ହୃଷୀ, କ୍ରମିକ ନଂ (୫୧) ଓ ସୋମବାରୀ ଜେନା ପି. ହୃଷୀ କ୍ରମିକ ନଂ ( ୫୪)। ସୂଚନା ଅନୁସାରେ, ରାଇ ଓ ସୋମବାରୀ ପୁରୁଷ ଲୋକ ହୋଇଥିଲେ ବି ଦୀର୍ଘ ବର୍ଷ ହେଲା ବିଧବାଙ୍କ ପାଇଁ ଉଦ୍ଦିଷ୍ଟ ଭତ୍ତା ପାଇ ଚାଲିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଦୁହିଁଙ୍କର ବୟସ ହୋଇଯାଇଥିଲେ ବି ସେମାନଙ୍କୁ କିଭଳି ବିଧବା ଭତ୍ତା ମିଳୁଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଲକ୍‌ରୁ ତିନି ଦିନ ତଳେ ପଞ୍ଚାୟତକୁ ଆସିଥିବା ତାଲିକାରୁ ଏହି ଅନିୟମିତତା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ୬ ଜଣ ସଧବାଙ୍କୁ ଭତ୍ତା ମିଳୁଥିବା ଏବେ ଲୋକଲୋଚନକୁ ଆସିଛି। ସେମାନେ ହେଲେ, ଋକ୍ମିଣୀ କବି, ପାକ ଜେନା, ଶ୍ରୀମତୀ ଜେନା, କମଳିନୀ ଜେନା, ଚଞ୍ଚଳା ଜେନା, ମଞ୍ଜୁଲତା ଜେନା। ସମସ୍ତଙ୍କର ବୟସ ୪୦ରୁ ୪୫ ବର୍ଷ ଭିତରେ ‌ହୋଇଥିଲେ ବି ସେମାନେ ୪/୫ବର୍ଷ ହେଲା ବିଧବା ଭତ୍ତା ପାଇ ଚାଲିଥିବା ଦୃଷ୍ଟିକୁ ଆସିଛି।

ଏ ସମ୍ପର୍କରେ ହାଟଡିହି ବିଡିଓ ସୁଶାନ୍ତ କୁମାର ବାରିକ କହିଛନ୍ତି ଯେ, ବିଧବା ଭତ୍ତା ପାଉଥିବା ଦୁଇ ବୃଦ୍ଧଙ୍କର ଭତ୍ତା, ବାର୍ଦ୍ଧକ୍ୟ ଭତ୍ତାକୁ ପରିବର୍ତ୍ତନ କରାଯିବ। ତେବେ, ଖାଲି ଶାଳଣିଆଁ ପଞ୍ଚାୟତ ନୁହଁ, ବ୍ଲକ୍‌ର ପ୍ରାୟ ସମସ୍ତ ପଞ୍ଚାୟତରେ ଶତାଧିକ ହିତାଧିକାରୀ ଏହିପରି ଜାଲ୍‌ ଭତ୍ତା ପାଉଥିବା ଅଭିଯୋଗ ହେଉଛି।

By amfnews

Related Post