Sat. Nov 9th, 2024

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ୨ ରୋଗୀଙ୍କର ମୃତ୍ୟୁ !

By amfnews Sep 17, 2019 #Featured
110 Views

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ୨ ରୋଗୀଙ୍କର ମୃତ୍ୟୁ ଘଟଥିବାର ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସହର ଉପକଣ୍ଠ ନରଣପୁରର କ୍ଷୀରୋଦିନୀ ପାତ୍ର ରକ୍ତଚାପର ଶିକାର ହୋଇ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ରାତିରେ ତାଙ୍କୁ ଡାକ୍ତର ଦେଖିବା ପରେ ସାଲାଇନ ଦେଇଥିଲେ ।

ଆଜି ଭୋରରେ ରୋଗୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅକ୍ସିଜେନ ଦେବାକୁ ଡାକ୍ତର କହିଥିଲେ । ହେଲେ ମହିଳା ବିଭାଗରେ ଯେଉଁ ୩ ଟି ଅକସିଜେନ ସିଲିଣ୍ଡର ଥିଲା ସେଥିରୁ ଗୋଟିଏ ଏକ ସାପ କାମୁଡ଼ା ରୋଗୀଙ୍କ ଦେହରେ ଲାଗିଥିଲା ଏବଂ ଅନ୍ୟ ଦୁଇଟି ଖାଲିଥିଲା । ଏହା ସତ୍ୱେ ବି ସେଠାରେ କେହି ବି ଦକ୍ଷ ନର୍ସ ଉପସ୍ଥିତ ନଥିଲେ । ପରିବାର ଲୋକମାନେ ବହୁ କାକୁତି ମିନତି ହେଲେ ବି ଡାକ୍ତର ରୁମ ଭିତରେ ଥାଇ ମଧ୍ୟ ରୋଗୀଙ୍କୁ ଦେଖିବାକୁ ଆସି ନ ଥିବା ଅଭିଯୋଗ ହୋଇଛି ।

ସେହିପରି ମୟୁରଭଞ୍ଜ କରଞ୍ଜିଆ ନୁଆଗାଁର ଜାନକୀ ପାତ୍ରଙ୍କୁ ଗତକାଲି ସାପ କାମୁଡ଼ିଥିଲା । ସେ ରାତିରେ ସେଠାରୁ ସ୍ଥାନାନ୍ତର ହୋଇ ଏଠାକୁ ଆସିଥିଲେ । ତେବେ ରାତିରେ ତାଙ୍କୁ ଚିକିତ୍ସା କରାଯାଇ ନଥିଲା। ଆଜି ସକାଳୁ ତାଙ୍କୁ ଏକ ଟିକା ଡାକ୍ତରଙ୍କ କହିବା ଅନୁଯାଇ ସେଠାରେ ଉପସ୍ଥିତ ନର୍ସ ଦେଇଥିଲେ। ତେବେ ଟିକା ଦେବା ପରେ ରୋଗୀର ପଲ୍ସ ଚାଲୁ ନ ଥିଲା । ହେଲେ ପଲ୍ସ ଚାଲୁ ନ ଥିବା ସତ୍ୱେ ତାଙ୍କୁ ଟିକା ଦିଆ ଯାଇଥିଲା । ଟିକା ଦେବା ପରେ ତାଙ୍କ ପରିବାର ଲୋକଙ୍କଠାରୁ ଡିସଚାର୍ଜ ପେପର ରେ ଦସ୍ତଖତ କରାଇ ନେଇଥିଲେ ଦିଦି । ଡାକ୍ତର ରୋଗୀଙ୍କୁ ଗୁରୁତର ସମୟରେ ଆସି ନ ଦେଖିବା ଓ ଏଠାରେ ଥିବା ଅକ୍ସିଜେନ ଅଛି କି ନାହିଁ ଯାଞ୍ଚ ନ କରିବା କାରଣରୁ ଆଜି ଦୁଇଟି ଜୀବନ ଚାଲିଗଲା । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ କୁମାର ଦାସଙ୍କୁ ପଚାରିଥିଲୁ। ସେ କହିଥିଲେ, ଘଟଣା ସମ୍ପର୍କରେ ତଦନ୍ତ ହେବ। ଯଦି ତ୍ରୁଟି ନଜରକୁ ଆସେ, ତେବେ ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

By amfnews

Related Post