Sat. Mar 7th, 2026

‘କେଜ୍ରିଓ୍ୱାଲଙ୍କ ପ୍ରାର୍ଥିପତ୍ର ଦାଖଲ ବିଳମ୍ବ ପଛରେ ବିଜେପି’

172 Views

ନୂଆଦିଲ୍ଲୀ: ୬ ଘଣ୍ଟା ଧରି ଅପେକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଙ୍ଗଳବାର ନୂଆଦିଲ୍ଲୀ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିର୍ବାଚନ କମିଶନ ପ୍ରତି ପ୍ରାର୍ଥୀଙ୍କୁ ଅଧାଘଣ୍ଟାଏରୁ ଅଧିକ ସମୟ ଦେଉଥିବାରୁ ବିଳମ୍ୱ ହେଉଛି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆ କହିଥିଲେ। ସୋଶାଲ ମିଡିଆ ଏବଂ ଗଣମାଧ୍ୟମରେ ଏହାକୁ ନେଇ ପ୍ରଶ୍ନ ଉଠିବା ପରେ ନିର୍ବାଚନ କମିଶନ ସଫେଇ ଦେଇଛନ୍ତି।

ପ୍ରାର୍ଥିପତ୍ର ଦାଖଲ କରିବା ପ୍ରକ୍ରିୟାରେ ଜାଣିଶୁଣି କୌଣସି ପ୍ରକାର ବିଳମ୍ୱ କରାଯାଇନି। ନାମାଙ୍କନର ଅନ୍ତିମ ଦିନରେ ଅଧିକ ଭିଡ଼ ହୋଇଥିବାରୁ ନାମାଙ୍କନ ପ୍ରକ୍ରିୟାରେ ବିଳମ୍ୱ ହୋଇଛି। ଆଇନ ଅନୁସାରେ ସମସ୍ତ କାମ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ତରଫରୁ ସଫେଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାର ଅନ୍ତିମ ତାରିଖ ଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନୂଆଦିଲ୍ଲୀ ବିଧାନସଭା ଆସନ ପାଇଁ ଜାମନଗର ହାଉସରେ ଥିବା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ମୋଟ୍ ୬୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ୪୫ ନମ୍ୱର ଟୋକନ ପାଇଥିଲେ।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲଙ୍କୁ ବିଳମ୍ୱ କରାଇବା ପଛରେ ବିଜେପିକୁ ଦାୟୀ କରିଛି କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଦଳ ଆପ୍। ବିଜେପି ୪୦ରୁ ଅଧିକ ପ୍ରାର୍ଥୀ କେଜ୍ରିଓ୍ୱାଲଙ୍କ ପୂର୍ବରୁ ଛିଡ଼ା କରାଇ ତାଙ୍କୁ ପ୍ରାର୍ଥିପତ୍ର ଦାଖଲରୁ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା ବୋଲି ଆପ୍ କହିଛି।

ତେବେ କେଜ୍ରିଓ୍ୱାଲ ଏହାକୁ ନେଇ ଟୁଇଟ୍ କରି କହିଥିଲେ, ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଅନେକ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଛନ୍ତି। ଏଥିପାଇଁ ମୁଁ ଖୁସି ଅନୁଭବ କରୁଛି।

ଏହାପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ୍ କରି କହିଥିଲେ, ‘ବିଜେପି କେଜ୍ରିଓ୍ୱାଲଙ୍କ ପୂର୍ବରୁ ୪୫ ପ୍ରାର୍ଥୀଙ୍କୁ ଛିଡ଼ା କରାଇଥିଲା। ନିର୍ବାଚନ କମିଶନ ସମସ୍ତ ପ୍ରାର୍ଥୀଙ୍କୁ ୩୦ରୁ ଅଧିକ ସମୟ ଦେଉଥିବାରୁ ବିଳମ୍ୱ ହେଉଛି। ଯେଉଁ ପ୍ରାର୍ଥୀମାନେ କେଜ୍ରିଓ୍ୱାଲଙ୍କ ପୂର୍ବରୁ ଛିଡ଼ା ହୋଇଥିଲେ ସେମାନଙ୍କର କୌଣସି ପ୍ରସ୍ତାବକ ମଧ୍ୟ ନଥିଲେ। ବିଜେପି ସବୁ ପ୍ରକାର ଚେଷ୍ଟା କରୁ, ହେଲେ କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ କେହି ରୋକିପାରିବେ ନାହିଁ’।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ସୋମବାର ପ୍ରାର୍ଥିପତ୍ର ଦାଖଲ କରିବାର ଥିଲା। ହେଲେ ରୋଡ୍ ଶୋ’ ପାଇଁ ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିପାରିନଥିଲେ। ତେଣୁ ଅନ୍ତିମଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କେଜ୍ରିଓ୍ୱାଲ।

By amfnews

Related Post