Sat. Mar 7th, 2026

କେଜେଡିର ଜିଲ୍ଲା ସ୍ତରୀୟ ସାଂଗଠନିକ ପ୍ରକ୍ରିୟା ଆରମ୍ଭ, ସୁବାଷ ଲେଙ୍କା ହେଲେ ରାଉରକେଲା ସାଂଗଠନିକ ଜିଲ୍ଲାର ଆବାହକ

171 Views

ରାଉରକେଲା, ୧୪ା୧୧ : କୋସଳ ଜନତା ଦଳ (କେଜେଡି)ର ରାଜ୍ୟ କାର୍ଯ୍ୟାଳୟ ଠାରେ ମାସିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ସାଂଗଠନିକ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପରେଖ ଦିଆଯାଇଛି । ରାଉରକେଲା ଓ ସୁନ୍ଦରଗଡ଼କୁ ୨ଟି ସାଂଗଠନିକ ଜିଲ୍ଲାର ମାନ୍ୟତା ଦେଇ ପ୍ରଥମେ ରାଉରକେଲା ସାଂଗଠନିକ ଜିଲ୍ଲାର ଗଠନ ପ୍ରକ୍ରିୟା ସ୍ୱରୂପ ଯୁବନେତା ସୁବାଷ ଚନ୍ଦ୍ର ଲେଙ୍କାଙ୍କୁ ଜିଲ୍ଲା ଆବାହକ ଦାୟିତ୍ୱ ସହ ଡିସେମ୍ବର ଶେଷ ସୁଦ୍ଧା ବିଧିବଦ୍ଧ ଭାବେ ଜିଲ୍ଲା କମିଟି ଗଠନର ଦାୟିତ୍ୱ ଦିଆଯାଇଛି ।

ଅନୁରୂପ ଭାବେ ପ୍ରତ୍ୟେକ ସାଂଗଠନିକ ଜିଲ୍ଲା, ଉପଖଣ୍ଡ, ମଣ୍ଡଳ ଓ ପଞ୍ଚାୟତ ସ୍ତରରେ ଆବାହକ ନିଯୁକ୍ତି ପ୍ରକ୍ରିୟାକୁ ନଭେମ୍ବର ଶେଷ ସୁଦ୍ଧା ଏବଂ ଜିଲ୍ଲାସ୍ତରୀୟ କମିଟି ଗଠନ ପ୍ରକ୍ରିୟାକୁ ଡିସେମ୍ବର ଶେଷ ସୁଦ୍ଧା ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି । ଶ୍ରୀ ଲେଙ୍କା ଦଳର ସଦସ୍ୟତା ଗ୍ରହଣ କରିବା ପରେ ତାଙ୍କ ସହ ଅନ୍ୟ ୨ ଜଣ ନୂଆ ସଭ୍ୟ ମହେଶ ଗୌଡ଼ ଏବଂ ବେବି ଦେହୁରୀଙ୍କୁ ଦଳର ଉପଦେଷ୍ଟା ସମିତିର ଅଧ୍ୟକ୍ଷ କର୍ଣ୍ଣଲ ହରିହର ସାହୁ, ସଭ୍ୟ ଡା. ମେଜର ଅକ୍ଷୟ ସାମଲ ଓ ପୀତବାସ ମିଶ୍ର ତଥା ସଭାପତି ବୈଦ୍ୟନାଥ ମିଶ୍ର, ଉପସଭାପତି ସନତ କୁମାର ପ୍ରଧାନ ଓ ଅନ୍ୟମାନେ ଆନୁଷ୍ଠାନିକ ରୂପେ ସ୍ୱାଗତ କରିଥିଲେ ।

ସେହିପରି ଦଳର ଉପଦେଷ୍ଟା ଭାବେ ‘ସେଲ’ର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ ଅଦ୍ୱୈତ କୁମାର ପଣ୍ଡା ଯୋଗ ଦେଇଥିବାରୁ ତାଙ୍କୁ କାର୍ଯ୍ୟକାରିଣୀ ବୈଠକରେ ସ୍ୱାଗତ କରାଯାଇଥିଲା । କୋସଲ ମୁକ୍ତି ରଥ ଚଳିତ ମାସ ଶେଷ ସୁଦ୍ଧା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ ପରିକ୍ରମା ଶେଷ କରିବ ବୋଲି ଦଳର ସାଧାରଣ ସମ୍ପାଦକ ଚକ୍ରାନ୍ତ ଜେନା ସୂଚନା ଦେଇଥିଲେ ।

ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ ଚଳିତ ମାସ ୧୪ ତାରିଖ ଦିନ ଛେଣ୍ଡ ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ମାଗଣା ମଧୁମେହ ରୋଗ ପରୀକ୍ଷା ଶିବିର ଆୟୋଜନ ପାଇଁ ଉପସଭାପତି ସନତ କୁମାର ପ୍ରଧାନଙ୍କ ଦ୍ୱାରା ଆଗତ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହି ଶିବିର ବିଶିଷ୍ଟ ମଧୁମେହ ଚିକିତ୍ସକ ଡାକ୍ତର ଏ.କେ. ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ ।

ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଦଳ ପ୍ରତି ଜନସମର୍ଥନ କ୍ରମେ ବୃଦ୍ଧି ପାଉଥିବା ଏକ ଶୁଭ ଲକ୍ଷଣ ବୋଲି କହି ମଧୁମେହ ପରୀକ୍ଷା ଶିବିର ପାଇଁ ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ମତ ରଖିଥିଲେ । ସମ୍ପାଦକ ନିର୍ମଳ କୁମାର ଦାସ, ମୁଖପାତ୍ର ଡା. ସୁରମା ମିଶ୍ର, ସରୋଜ କୁମାର ପରିଡା, ପ୍ରକାଶଚନ୍ଦ୍ର ପାଢ଼ୀ, ମିଡିଆ ପ୍ରଭାରୀ ସ୍ୱରୂପ ମିଶ୍ର, ସଞ୍ଜିତ ସେନ୍ ଏବଂ ବଲାଙ୍ଗିର ପ୍ରତିନିଧି ଦୁର୍ବାଦଳ ବାଗ ପ୍ରମୁଖ ଆଲୋଚନାରେ ଭାଗ ନେଇ ସୁଚିନ୍ତିତ ପରାମର୍ଶମାନ ଦେଇଥିଲେ ।

By amfnews

Related Post