Sat. Mar 7th, 2026

କେଉଁ ରୋଗରେ ପୀଡ଼ିତ ଥିଲେ ସୁଷମା?

192 Views

ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୁଷମା ସ୍ୱରାଜଙ୍କର ଗତକାଲି ରାତିରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। କାର୍ଡିଆକ୍ ଆରେଷ୍ଟ୍ (ଯେତେବେଳେ ହଠାତ୍ ହୃତ୍‌ପିଣ୍ଡ ଶରୀରକୁ ରକ୍ତପଠାଇବା ବନ୍ଦ କରି ଦିଏ) ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବୈଦେଶିକ ମନ୍ତ୍ରୀ ଥିବା ସମୟରେ ସେ ପ୍ରଥମେ ଅସୁସ୍ଥ ହୋଇଥିଲେ। ତାଙ୍କର କିଡ୍‌ନୀ ଫେଲ୍ ହୋଇଯାଇଥିଲା। ଏହା ୨୦୧୬ ମସିହାର କଥା। କିଡ୍‌ନୀ ଖରାପ ହୋଇଯିବାରୁ ତାଙ୍କୁ ଡାଏଲେସିସ୍‌ରେ ରଖାଯାଇଥିଲା। ଏହା ପରେ ତାଙ୍କର କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଏହା ପରେ ତାଙ୍କ ଅବସ୍ଥାରେ ସୁଧାର ଆସିଥିଲା ଓ ସେ ପୁଣି ସକ୍ରିୟ ହୋଇଯାଇଥିଲେ। ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଚଳିତ ବର୍ଷ ସାଧାରଣ ନିର୍ବାଚନ ଲଢ଼ି ନଥିଲେ। ଏନେଇ ସେ ଦଳକୁ ଢେର ଦିନରୁ ଅବଗତ କରାଇ ସାରିଥିଲେ। ସୁଷମା ଡାଇବେଟିସ୍‌ରେ ମଧ୍ୟ ପୀଡ଼ିତ ଥିଲେ। ୨୦ ବର୍ଷରୁ ଅଧିକ ସମୟ ଧରି ସେ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ। ଡାଇବେଟିସ୍‌ ଯୋଗୁ ହିଁ ତାଙ୍କର କିଡ୍‌ନୀ ଖରାପ ହୋଇଥିଲା।

ପ୍ରତିବର୍ଷ କିଡ୍‌ନୀ ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। କିଡ୍‌ନୀ ରୋଗର ଲକ୍ଷଣ ଏତେ ଶୀଘ୍ର ଦେଖାଯାଏନି। ଯେତେବେଳେ ଲକ୍ଷଣ ଦେଖାଯାଏ, ସେତେବେଳକୁ ଏହା ୬୦/୬୫ ପ୍ରତିଶତ ଖରାପ ହୋଇଯାଇଥାଏ। ତେଣୁ ଏହାକୁ ସାଇଲେଣ୍ଟ୍ କିଲର ବୋଲି କୁହାଯାଏ। ତେଣୁ ଡାଇବେଟିସ୍ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ନିୟମିତ ଭାବେ ଏହାର ଯାଞ୍ଚ କରିବା ଉଚିତ୍‌। ତା’ହେଲେ ବେଳ ଥାଉ ଥାଉ ଏହାର ଚିକିତ୍ସା କରାଯାଇପାରିବ।

 

By amfnews

Related Post