Sat. Mar 7th, 2026

କୃଷକଙ୍କ ଆୟ ବଢ଼ାଇବା ପାଇଁ ଆରମ୍ଭ ହେଲା ଯୋଜନା, ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପାଇଲଟ୍‌ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

244 Views

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଜିଲ୍ଲାର ଚାଷୀ ଓ ଗରିବ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥାର ଉନ୍ନତି ଆଣିବା ପାଇଁ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସମୁଦାୟ ୫.୨୧ କୋଟି ଟଙ୍କା ବିନିଯୋଗ ହେବ ବୋଲି ସୂଚନା ରହିଛି।

ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ ସେ ସର୍ବଦା ଚାଷୀ ଓ ଚାଷର ଉନ୍ନତି ଦିଗରେ ଗୁରୁତ୍ୱ ଦେଇ ଆସିଛନ୍ତି। ଏପରି ସବୁ କାର୍ଯ୍ୟକ୍ରମ କରି ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ଏହି ପାଇଲଟ୍‌ ପ୍ରୋଜେକ୍ଟ ଦ୍ୱାରା ଜିଲ୍ଲାର ଉଦ୍ୟାନ କୃଷି, ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡ଼ା ଓ ପଶୁପାଳନ, ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀମାନଙ୍କ ଦକ୍ଷତା ଓ ରୋଜଗାର ବୃଦ୍ଧି ପାଇବ।

ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କର ୧୫ଟି ଓ କେନ୍ଦ୍ର ସରକାରଙ୍କର ୧୨ଟି ଗବେଷଣା ଓ ବିକାଶ ସଂସ୍ଥା ସହଯୋଗ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଉଚ୍ଚ ଅମଳକ୍ଷମ ଫଳ ଓ ପନିପରିବା ଚାଷ, ଉନ୍ନତମାନର ଚାରା ଯୋଗାଣ କରାଯାଇ ବ୍ୟବସାୟିକ ନର୍ସରୀ ପ୍ରତିଷ୍ଠା, ମକା, କନ୍ଦମୂଳ, ଦେଶିଆଳୁ ଆଦି ପନିପରିବା ଚାଷ, ଲେମନ୍‌ ଗ୍ରାସ୍‌ ଓ ହଳଦୀ ସୁଗନ୍ଧିତ ଦ୍ରବ୍ୟ ଚାଷ ଓ ତୈଳ ଉତ୍ପାଦନ, ଅଗରବତୀ, ମଶା ଧୂପ ଆଦି ଦ୍ରବ୍ୟର ଉତ୍ପାଦନ, ଜଳ ଅମଳ ପ୍ରକଳ୍ପ, ବାଡ଼ି ବଗିଚାରେ ପନିପରିବା ସହିତ କୁକୁଡ଼ା ଓ ମତ୍ସ୍ୟ ଚାଷ ଆଦି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ।

By amfnews

Related Post