Sat. Mar 7th, 2026

କୁମ୍ଭୀର ଆକ୍ରମଣରେ ବୃଦ୍ଧ ଗୁରୁତର:ଖବର ପାଇ ପହଞ୍ଚିଲେନି ବନ କର୍ମଚାରୀ

253 Views

ରାଜନଗର, ଡିସେମ୍ବର ୮: ରାଜନଗର ବ୍ଲକ୍‌ ଭିତରକନିକା ସଂଲଗ୍ନ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗ୍ରାମର ଜଣେ ବ୍ୟକ୍ତି କୁମ୍ଭୀର କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ହେଉଛନ୍ତି ପଞ୍ଚାନନ ବେହେରା(୫୪)। କୁମ୍ଭୀର ଆକ୍ରମଣରେ ତାଙ୍କ ଜଂଘ କ୍ଷତାକ୍ତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଖବର ଦିଆଯିବା ପରେ ବି ଘଟଣାସ୍ଥଳରେ କୌଣସି ବନ କର୍ମଚାରୀ ନ ପହଞ୍ଚିବାକୁ ନେଇ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଆଜି ଅପରାହ୍ନରେ ପଞ୍ଚାନନ ବିଲକୁ ଧାନ କାଟିବାକୁ ଯାଇଥିଲେ। ସେଠାରୁ ଫେରି ବାଡ଼ି ପଛ ପଟେ ଥିବା ପୋଖରୀକୁ ଗୋଡ଼ ଧୋଇବାକୁ ଯାଇଥିଲେ। ଏହି ସମୟରେ ପୋଖରୀ ଭିତରେ ଛପି ରହିଥିବା ୬/୭ ଫୁଟ୍‌ ଲମ୍ବର କୁମ୍ଭୀର ତାଙ୍କ ଉପରକୁ ଝାମ୍ପ ମାରିଥିଲା। କୁମ୍ଭୀରଟି ତାଙ୍କ ଜଂଘକୁ କାମୁଡ଼ି ଧରିଥିଲା। ସେ କୁମ୍ଭୀରକୁ ଠେଲି ଦେଇଥିଲେ। କୁମ୍ଭୀରର ଆଖିରେ ଆଘାତ ଲାଗିବାରୁ ସେ ପଞ୍ଚାନନଙ୍କୁ ଛାଡ଼ି ପଳାଇଯାଇଥିଲା। କୌଶଳ କ୍ରମେ ସେ କୁମ୍ଭୀର ପଞ୍ଝାରୁ ଖସି ଆସି ଜୀବନ ବଞ୍ଚାଇ ପାରିଥିଲେ। ଏହି ଘଟଣା ସମ୍ପର୍କରେ ଘଟଣାସ୍ଥଳଠାରୁ ପ୍ରାୟ ୩୦୦ ଫୁଟ ଦୂରରେ ଥିବା କନିକା ରେଞ୍ଜ ଅଫିସକୁ ଲୋକେ ଜଣାଇଥିଲେ। ତେବେ ଦୀର୍ଘ ସମୟ ଧରି କୌଣିସ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ଏହାକୁ ନେଇ ଲୋକେ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲେ। ପଞ୍ଚାନନ ଅତ୍ୟନ୍ତ ଗରିବ। ଧାନ କାଟି, ମୂଲ ଲାଗି ପରିବାର ପୋଷୁଥିଲେ। ତାଙ୍କର ଏପରି ଅବସ୍ଥା ପାଇଁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି।
ସୂଚନା ଥାଉ କି, ୨୦୧୭ରେ ବାଙ୍କୁଆଳ ଗ୍ରାମର ମମତା ଦଳାଇ ତା’ର ବଡ଼ ଭଉଣୀ ଅଶାନ୍ତିକୁ କୁମ୍ଭୀର କବଳରୁ ବଞ୍ଚାଇଥିଲା। ଦୁଇ ଭଉଣୀ ପୋଖରୀରେ ଗୋଡ଼ ଧୋଇ ହେଉଥିବା ବେଳେ ଏକ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରିଥିଲା। କୁମ୍ଭୀରଟି ଅଶାନ୍ତିଙ୍କୁ ଆକ୍ରମଣ କରୁଥିବା ବେଳେ ମମତା ସାହସର ସହ କୁମ୍ଭୀର କବଳରୁ ଭଉଣୀର ହାତକୁ ଟାଣି ଆଣିଥିଲା। ଏଥିପାଇଁ ମମତାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଥିଲେ।

By amfnews

Related Post