ଭୁବନେଶ୍ବର: ଡିସେମ୍ବର ୨୪ ଖୋର୍ଧା ବରୁଣେଇ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନେଇ ନଥିଲେ ମଧ୍ୟ ତାଙ୍କ ସରକାରର ଅପାରଗତା ଦର୍ଶାଇ ୮ଟି ପ୍ରଶ୍ନ କରିଥିଲେ। ଏହାର ୧୨ ଦିନ ପରେ ବାରିପଦା ସଭାରେ କେବଳ ‘ବେବିନା’ ପ୍ରସଙ୍ଗ ଉଠାଇ ପ୍ରଶାସନିକ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ। ଖୋର୍ଧା ସଭା ତୁଳନାରେ ନବୀନ ସରକାରଙ୍କ ପ୍ରତି ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରିଥିବା ମୋଦୀ ଆସନ୍ତା ୧୫ ତାରିଖରେ ପୁଣି ଆସୁଛନ୍ତି ବଲାଙ୍ଗୀର। ସେ ସଭାରେ ଯେ ମୋଦୀ ଆଭିମୁଖ୍ୟ ପରିବର୍ତ୍ତନ କରିବେ, ରାଜ୍ୟ ବିଜେପି ନେତୃବର୍ଗଙ୍କର ଆଉ ବିଶେଷ ଭରସା ନାହିଁ। ଆସନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତ ତାଙ୍କ ସରକାରଙ୍କ ‘ପୂର୍ବକୁ ଦେଖ’ (ଲୁକ୍ ଇଷ୍ଟ୍) ନୀତିର ପରିଚାୟକ ହୋଇପାରେ, ମାତ୍ର ଭୋଟ୍ ରାଜନୀତି ଦୃଷ୍ଟିରୁ ମୋଦୀଙ୍କ ରକ୍ଷଣାତ୍ମକ ଶୈଳୀ ଯେ ରାଜ୍ୟ ବିଜେପିକୁ ହତାଶ କରିଛିି-ତାହାର ନୈରାଶ୍ୟଜନକ ପ୍ରତିକ୍ରିୟା ଦୃଷ୍ଟିଗୋଚର ହେଲାଣି। ମୋଦୀଙ୍କ ବଲାଙ୍ଗୀର ଗସ୍ତର ଦୁଇ ଦିନ ପରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ହତାଶ ରାଜ୍ୟ ଶାଖା ପାଇଁ ସେ ସାହା ହେବେ ବୋଲି ଶେଷ ଆଶା ରଖିଛନ୍ତି ସ୍ଥାନୀୟ ନେତୃବର୍ଗ। ଯଦି ତାହା ନହେଲା, ତେବେ କେବଳ ଆତ୍ମସମର୍ପଣ ବ୍ୟତୀତ ଏମାନଙ୍କ ପାଇଁ ହୁଏତ ଅନ୍ୟ କିଛି ବିକଳ୍ପ ନଥିବ। ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଶାହ ଏଠାରେ ‘ମିସନ୍-୧୨୦’ ଆହ୍ବାନ ଦୋହରାଇବା ସମ୍ଭାବନା କ୍ଷୀଣ ବୋଲି ରାଜନୈତିକ ପର୍ଯବେକ୍ଷକ ମହଲ ପୂର୍ବାନୁମାନ କରିଛନ୍ତି।
ସେମାନଙ୍କ ମତରେ ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ଭୋଟ୍ ଫଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏକ ଗୁରୁତର ସତର୍କ ସୂଚନା। ବିଶେଷକରି ହିନ୍ଦୀ ଭାଷୀ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଫଳ ଗୈରିକ ଦଳକୁ ଘୋର ନୈରାଶ୍ୟ ମଧ୍ୟକୁ ଠେଲି ଦେଇଛି। ଏହି ୩ଟି ରାଜ୍ୟରେ ନବଗଠିତ କ˚ଗ୍ରେସ ସରକାର ଆଗାମୀ ଲୋକସଭା ନିର୍ବାଚନରେ ସଫଳତା ହାସଲ ଲାଗି କଳ-ବଳ-କୌଶଳ ପ୍ରୟୋଗ କରିବା ସ୍ବାଭାବିକ। ତେଣୁ ୨୦୧୪ ନିର୍ବାଚନରେ ଏହି ୩ ରାଜ୍ୟର ମୋଟ ୬୫ଟି ଲୋକସଭା ଆସନ ମଧ୍ୟରୁ ୫୮ଟି ଦଖଲ କରିଥିବା ବିଜେପି ଆଗାମୀ ନିର୍ବାଚନରେ ଏହି ସଫଳତା ଦୋହରାଇବା ସମ୍ଭାବନା କ୍ଷୀଣ। ପୁଣି ସର୍ବାଧିକ ୮୦ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଦୁଇ ପ୍ରମୁଖ ଦଳ ବହୁଜନ ସମାଜ ପାର୍ଟି (ବିଏସ୍ପି) ଓ ସମାଜବାଦି ପାର୍ଟି (ଏସ୍ପି) ପ୍ରାକ୍ ନିର୍ବାଚନୀ ମେଣ୍ଟରେ ଉପନୀତ ହୋଇଛନ୍ତି। ସହଯୋଗୀ ଅପ୍ନା ଦଲ୍ ନିକଟରେ ବିଜେପି ହାତ ଛାଡ଼ିଛି। ତେଣୁ ୨୦୧୪ରେ ସହଯୋଗୀ ଦଳର ୨ଟି ଆସନ ସହ ୭୧ଟି ଆସନ ଦଖଲ କରିଥିବା ଏନ୍ଡିଏ ପାଇଁ ଆଉ ପୂର୍ବ ସୁଯୋଗର କ୍ବଚିତ ସମ୍ଭାବନା ଅଛି। ମୁଖ୍ୟତଃ ହିନ୍ଦୀ ଭାଷୀ ଅଞ୍ଚଳରେ ବିଜେପି ଅପ୍ରତ୍ୟାଶିତ ଭାବେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ। ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି) ବିଜେପି ଛାଡ଼ି କ˚ଗ୍ରେସ ସହ ହାତ ମିଳାଇଥିବା ବେଳେ ବିବାଦୀୟ ନାଗରିକତା ବିଲ୍କୁ ବିରୋଧ କରି ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ଏବେ ବିଜେପି ଠାରୁ ମେଣ୍ଟ ସମ୍ପର୍କ ଚ୍ଛିନ୍ନ କରିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିଜେପି ବିରୋଧୀ ସ୍ବର ପ୍ରଖର ହେବାରେ ଲାଗିଛି। ଏଭଳି ପ୍ରେକ୍ଷାପଟ୍ଟରେ ବିଜେପି ସ˚ଖ୍ୟାଗରିଷ୍ଠ ଦଳ ଭାବେ ଉଭା ହେଲେ ମଧ୍ୟ ଆଗାମୀ ନିର୍ବାଚନରେ ଝୁଲା ସ˚ସଦର ସମ୍ଭାବନା ଅଧିକ। ତେଣୁ ବିଜେପି ନେତୃତ୍ବ କ˚ଗ୍ରେସ-ବିରୋଧୀ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ହାସଲ ପାଇଁ ଉଦ୍ୟମ ନକରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସୁତରା˚ ଓଡ଼ିଶା ଭଳି ଯେଉଁ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ-ସେଠାରେ ଆଞ୍ଚଳିକ ଦଳଗୁଡ଼ିକୁ ଅପ୍ରିୟ କରିବାକୁ ବିଜେପି ନେତୃତ୍ବ ଦୁଃସାହସ କରିବେ କିପରି? ପ୍ରଧାନମନ୍ତ୍ରୀଙ୍କ ସାମ୍ପ୍ରତିକ ଆଚରଣ ଓ ଉଚ୍ଚାରଣରେ ଏଭଳି ଏକ ସମୀକରଣ ଓଡ଼ିଶା ରାଜନୀତିରେ କ୍ରମଶଃ ଘନୀଭୂତ ହେବାରେ ଲାଗିଛି।
ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରରେ ୨୦୧୪ରୁ ପ୍ରତିନିଧିତ୍ବ କରୁଛନ୍ତି ଦୁଇ ଓଡ଼ିଆ ନେତା ଧମେର୍ନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ। ଶ୍ରୀ ଓରାମ ଦେଶର ଦଳିତ-ଆଦିବାସୀଙ୍କ କଲ୍ୟାଣ ଦାୟିତ୍ବରେ ଥିବା ବେଳେ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ସବେର୍ସର୍ବା। ତେବେ ଏହି ସାଢେ଼ ୪ ବର୍ଷ କାଳ କେବଳ ଆତ୍ମପ୍ରଚାର ଓ ଦଳରେ ଥିବା ପ୍ରତିପକ୍ଷଙ୍କ ପକ୍ଷେଛଦନରେ ପ୍ରଭାବଶାଳୀ ନେତାଙ୍କ ରଣନୀତି ସୀମିତ ଥିବାରୁ ରାଜ୍ୟ ବିଜେପିର ସା˚ଗଠନିକ ସ୍ଥିତି ସଙ୍କୁଚିତ ହେବାରେ ଲାଗିଛି। ଏପରିକି ରାଜ୍ୟ କ˚ଗ୍ରେସର ତତ୍କାଳୀନ ଦୁର୍ବଳତାରୁ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଅପ୍ରତ୍ୟାଶିତ ଫାଇଦା ଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ଆଗେଇବା ବଦଳରେ ଆଣ୍ଠେଇଛି। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଲା ବିଜେପୁରରୁ ବିଜାତଳା ଯାଏ ଦଳର ଶୋଚନୀୟ ପରାଜୟ। ସା˚ଗଠନିକ ନେତାମାନେ ଏହି ନିରାଟ ସତ୍ୟକୁ ବେଶ୍ ହେଜିଛନ୍ତି। ବିଜେପିର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ (ଆର୍ଏସ୍ଏସ୍)ର ନେତୃବର୍ଗ ମଧ୍ୟ ଏହି କାରଣରୁ ଅସୁଖୀ। ଅନ୍ୟ ପକ୍ଷରେ ଓଡ଼ିଶା ବିଜେପିର ଗତି-ପ୍ରଗତି ସମ୍ପର୍କରେ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରେ ନିୟମିତ ଗୋଇନ୍ଦା ରିପୋର୍ଟ ପହଞ୍ଚୁଥିବ। ସୁତରା˚ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ସା˚ଗଠନିକ ବାସ୍ତବତା ଅଛପା ରହିବ କେମିତି? ସମ୍ଭବତଃ ଏହି କାରଣରୁ ପ୍ରୟାଗ ଛାଡ଼ି ପୁରୀରୁ ପ୍ରାର୍ଥୀ ହେବା କଳ୍ପନାଜଳ୍ପନାକୁ ‘ଗଣମାଧ୍ୟମର ସୃଷ୍ଟି’ କହି ପ୍ରଧାନମନ୍ତ୍ରୀ ମୋଦୀ ନୂଆ ବର୍ଷର ପ୍ରଥମ ଦିନରେ ତାହାକୁ ଏଡ଼ାଇ ଦେଇଛନ୍ତି। ତେଣୁ ନିର୍ବାଚନ ବୈତରଣୀ ପାରି ହେବା ନିମନ୍ତେ ପୁରୀରୁ ମୋଦୀଙ୍କ ପ୍ରାର୍ଥିତ୍ବକୁ ଶେଷ ଭରସା କରିଥିବା ରାଜ୍ୟ ବିଜେପିର ସ୍ବପ୍ନ ମରିଚିକାରେ ପରିଣତ ହୋଇଛି।