Mon. Apr 21st, 2025

‘କାଳିଆ’ ଯୋଜନା ନିର୍ବାଚନୀ ଧୂଆଁବାଣ

By amfnews Dec 26, 2018 #Featured
275 Views

ଭୁବନେଶ୍ବର, ଡିସେମ୍ବର ୨୬  : ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକମାନଙ୍କ ପାଇଁ ଆରମ୍ଭ ହେବାକୁ ଯାଉଥିବା ‘କାଳିଆ’ ଯୋଜନାକୁ ସମାଲୋଚନା କରିଛି ଅଲ ଇଣ୍ଡିଆ କୃଷକ ସଂଘର୍ଷ କୋର୍ଡିନେସନ କମିଟି। ବିଭିନ୍ନ କୃଷକ ସଂଗଠନମାନଙ୍କ ଦ୍ବାରା ଗଠିତ ହୋଇଥିବା ଏହି ସଂଗଠନ ଏହାକୁ ଏକ ନିର୍ବାଚନୀ ଧୂଆଁବାଣ ବୋଲି କହିବା ସହିତ ଆର୍ଥିକ ବର୍ଷ ଶେଷ ହେବାକୁ ଥିବା ବେଳେ କୌଣସି ଅର୍ଥ ବ୍ୟୟବରାଦ କରାଯାଇ ନାହିଁ। ଏହି ଘୋଷଣା ଚାଷୀମାନଙ୍କ ପାଇଁ ପ୍ରତାରଣା ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ସଂଗଠନ ପକ୍ଷରୁ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ କହିଲେ, ‘କାଳିଆ’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଅର୍ଥର ବ୍ୟୟବରାଦ ସଂପର୍କରେ ଘୋଷଣ କରନ୍ତୁ।

ଅନ୍ୟ ଦିଗରେ ରାଜ୍ୟ ସରକାର କୃଷିଋଣ ଛାଡ଼ ପ୍ରସଙ୍ଗକୁ ପ୍ରତ୍ୟାଖ୍ୟାନ କରିବା କୃଷକ ବିରୋଧୀ ନୀତି ସ୍ପଷ୍ଟ ହୋଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର ଋଣଛାଡ଼ ସହିତ ଛତିଶଗଡ଼ ସରକାର ଧାନ କ୍ରୟ ଉପରେ ବୋନସ୍‌ ଓ ମଧ୍ୟପ୍ରଦେଶ ସରକାର ମାସିକ ୧ହଜାର ଟଙ୍କା ପେନସନ୍‌ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଧାନ କ୍ରୟ ଉପରେ କାହିଁକି ବୋନସ୍‌ ଦେଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଆସନ୍ତା ୮ ଓ ୯ତାରିଖରେ ୪ ଦଫା ଦାବି ନେଇ ଗ୍ରାମୀଣ ଓଡ଼ିଶାରେ ହରତାଳ କରାଯିବ। କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ମାନଙ୍କ ଡାକରାକୁ ସମର୍ଥନ କରିବା ସହିତ କୃଷକମାନଙ୍କ ନିଜସ୍ବ ଦାବି ଉପରେ ରାଜ୍ୟରେ ହେବାକୁ ଥିବା ହରତାଳରେ ଚାଷୀମାନେ ସାମିଲ ହେବେ। ସାମ୍ବାଦିକ ସମ୍ମିଳନୀରେ କୃଷ୍ଣଚନ୍ଦ୍ର ରାଉତ, ଅଶୋକ ପ୍ରଧାନ, ବଟକୃଷ୍ଣ ସ୍ବାଇଁ, ପ୍ରମୋଦ କୁମାର ରଥ ଓ ନରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post