Tue. Nov 26th, 2024

‘କାଳିଆ’ ଯୋଜନାର ସମୀକ୍ଷା କଲେ ମୁଖ୍ୟ ସଚିବ : ୨୫ରେ ଚା‌ଷୀଙ୍କ ଆକାଉଣ୍ଟ୍‌କୁ ଯିବ ସହାୟତା ରାଶି

By amfnews Jan 18, 2019 #Featured
190 Views

ଭୁବନେଶ୍ବର, ଜାନୁଆରୀ ୧୮  : ‘କାଳିଆ’ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସରକାର ପୂରା ଦମ୍‌ରେ ଅଣ୍ଟା ଭିଡ଼ିଛନ୍ତି। ବ୍ଲକ୍ ସ୍ତର ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ଘନ ଘନ ବୈଠକ ହୋଇ ଜୋର୍‌ଦାର୍ କସ୍‌ରତ ଜାରି ରହିଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କାଳିଆ ଯୋଜନାର ଅଗ୍ରଗତିର ସମୀକ୍ଷା‌ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମିଳିଥିବା ସବୁଜ ଓ ନାଲି ଫର୍ମର ଡାଟା ଏଣ୍ଟ୍ରି ସାରି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷାରୁ ମିଳିଥିବା‌ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ନାମ ସଂଯୋଗ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରାୟ ୬୬ ଲକ୍ଷ ପର୍ଯ୍ୟନ୍ତ ସବୁଜ ଫର୍ମ ମିଳିଛି। ନାମ ବାଦ ଦେବା ପାଇଁ ପ୍ରାୟ ୩୫ ହଜାରରୁ ଅଧିକ ଦରଖାସ୍ତ ମିଳିଛି। ତାହା ଛଡ଼ା ଏକାଧିକ ଦରଖାସ୍ତ, ଧନୀ କୃଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବର୍ତ୍ତମାନ ସେବାରତ ଥିବା ସରକାରୀ ଓ ସାଧାରଣ ଆ‌ୟୋଗ ଆଦିର କର୍ମଚାରୀଙ୍କ ନାମ ମଧ୍ୟ ତାଲିକାରୁ ବାଦ୍ ଦେବା ପାଇଁ ନୀରିକ୍ଷକ ଓ ଅନୁସନ୍ଧାନକାରୀ ଅଧିକାରୀମାନଙ୍କୁ ନି‌େର୍ଦ୍ଦଶ ଦିଆଯାଇଛି। ସମସ୍ତ ପଞ୍ଚାୟତ ବ୍ଲକ୍‌ ଓ ଜିଲ୍ଲା ସ୍ତରରେ ଡାଟା ଏଣ୍ଟ୍ରି ପାଇଁ ପର୍ଯ୍ୟାପ୍ତ କମ୍ପ୍ୟୁଟର ବ୍ୟବସ୍ଥା କରାଯିବା ସହ ଡାଟା ଏଣ୍ଟ୍ରି ଅପରେଟର୍‌ମାନଙ୍କୁ ମୁତୟନ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ୩ଟି ସିଫ୍‌ଟ୍‌ ଡାଟା ଏଣ୍ଟ୍ରି କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଦୈନିକ ପ୍ରାୟ ୧୦.୫୦ ଲକ୍ଷ ପର୍ଯ୍ୟନ୍ତ ଫର୍ମ ତଥ୍ୟ ରଖି ପାରିବା ପରି କ୍ଷମତାସମ୍ପନ୍ନ କମ୍ପ୍ୟୁଟର୍ ସର୍ଭର୍ ବ୍ୟବସ୍ଥା କରାଯାଇଛି। ପ୍ରତି ଜିଲ୍ଲାକୁ ମଧ୍ୟ ପର୍ଯ୍ୟବେକ୍ଷକ ପଠାଯାଇ କାର୍ଯ୍ୟାନ୍ବୟନ ଅଗ୍ରଗତିକୁ ତ୍ବରାନ୍ବିତ କରାଯାଉଛି। ଆବଶ୍ୟକ ହେଲେ ରାତି ସିଫ୍‌ଟ୍‌ ପାଇଁ ଅଧିକ ଘରୋଇ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କ ଅନୁରୋଧକୁ ବିଚାର କରି ମୁଖ୍ୟ ଶାସନ ସଚିବ ଏଥି ପାଇଁ ଅନୁମତି ଦେଇଥିଲେ।

ବୈଠକ ପ‌େର ଗଣମାଧ୍ୟମକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ‌େସୗରଭ ଗର୍ଗ କହିଥିଲେ, ପୂର୍ବରୁ ବିଭିନ୍ନ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରାପ୍ତ ସୂଚନା ଭିତ୍ତିରେ ୨୨.୫୦ ଲକ୍ଷ ଚାଷୀଙ୍କର ଚିଠା ତାଲିକା ସଂପୃକ୍ତ ପଞ୍ଚାୟତମାନଙ୍କରେ ବିଜ୍ଞାପିତ କରାଯାଇଥିଲା। ବ୍ୟବସ୍ଥା ଅନୁସାରେ ପ୍ରାୟ ୬୬ ଲକ୍ଷ ସବୁଜ ଫର୍ମରେ ଆବେଦନ ମିଳିଛି। ଆବଶ୍ୟକ ତନଖି କରି ଚଳିତ ମାସ ୨୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜାନୁଆରି ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ। ଦ୍ବିତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ ପାଇଁ ଜାନୁଆରି ୨୫ ତାରିଖରୁ ଫେବ୍ରୁଆରି ୫ ତାରିଖ ମଧ୍ୟରେ ପଞ୍ଚାୟତ ସ୍ତରରେ ଚିଠା ତାଲିକା ପ୍ରକାଶ ପାଇବ। ଏହା ଛଡ଼ା ନିର୍ଦ୍ଧାରିତ ଫର୍ମରେ ମଧ୍ୟ ଆବେଦନ ଓ ଅଭିଯୋଗ ଗ୍ରହଣ କରାଯିବ। ଏହି ଯୋଜନାରେ ସମସ୍ତ ଯୋଗ୍ୟ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକମାନଙ୍କୁ ସହାୟତା ଦିଆଯିବ।

ବୈଠକରେ କୃଷି ଉତ୍ପାଦନ କମିସନର୍ ଗଗନ କୁମାର ଧଳ, ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ରାଜସ୍ବ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ଓ ସମବାୟ ସଚିବ କ୍ରିଷନ୍ କୁମାରଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

By amfnews

Related Post