Wed. Mar 19th, 2025

କାଲିଠାରୁ ଖାଇନାହାନ୍ତି ମହାରଥୀ, ନିଆଁରେ ଘିଅ ଢାଳିଲେ ପ୍ରମିଳା

By amfnews Jul 18, 2019 #Featured
166 Views

ଭୁବନେଶ୍ୱର : “ମୁଁ କାଲିଠୁ ଖାଇନି। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇନି।” ଆଜି ଏପରି କିଛି ଢଙ୍ଗରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରଦୀପ ମହାରଥୀ।

ଗତକାଲି ଗୃହରେ ମହାରଥୀଙ୍କୁ ନିରଞ୍ଜନ ସମାଲୋଚନା କରିଥିଲେ।  ମନ୍ତ୍ରୀ କହିଥିଲେ, ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। ହେଲେ ତାହା ଏବେ ୪୮କୁ ଖସିଆସିଛି। ଏହାକୁ ନେଇ ଆଜି କଡ଼ା ଜବାବ ରଖିଛନ୍ତି ମହାରଥୀ । ନିଜ ଚିରାଚରିତ ଅନ୍ଦାଜରେ ମହାରଥୀ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ମୁଁ ଆସିବା ବେଳେ ଶୀତଳ ଭଣ୍ଡାର ସଂଖ୍ୟା ୨୪ରେ ଥିଲା। ହେଲେ ତାହା ଏବେ ୪୮କୁ ବୃଦ୍ଧି ପାଇଛି।”

ତାଙ୍କ ସମୟରେ ରାଜ୍ୟକୁ ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛି ବୋଲି ମହାରଥୀ ଦୋହରାଇଛନ୍ତି । ସେ କହିଛନ୍ତି, ଯଦି କେହି ଭାବୁଥା’ନ୍ତି, ଏମିତି କହି ତାଙ୍କ ପାଟି ଚୁପ୍ ରଖିବେ, ତାହା ହୋଇପାରିବନି। ଖାଲି ସେତିକି ନୁହେଁ, ମନ୍ତ୍ରୀ ମୋ ବାବଦରେ ଦେଇଥିବା ମତର ସ୍ପଷ୍ଟୀକରଣ ଦିଅନ୍ତୁ। ମନ୍ତ୍ରୀଙ୍କ ଆକ୍ଷେପକୁ ବିବରଣୀରୁ ବାଦ୍ ଦିଆ ନଗଲେ ସେ ଗୃହକୁ ଆସିବେନି ବୋଲି ବି ଚେତବାନୀ ଦେଇଛନ୍ତି।

ସେପଟେ ନିରଞ୍ଜନ ପୂଜାରୀ ଓ ବିଧାୟକ ପ୍ରଦୀପ ମହାରଥୀଙ୍କ ତୁତୁ ମେଁମେଁ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି, ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ମହାରଥୀ ସବୁବେଳେ ଯାତ୍ରୀ ଶୈଳୀରେ କଥାବାର୍ତ୍ତା କରନ୍ତି।

ମହାରଥୀ ଖାଇ ନଥିବା ନେଇ ସାମ୍ୱାଦିକଙ୍କ ପ୍ରଶ୍ନରେ ପ୍ରମିଳା ମଲ୍ଲିକ କହିଛନ୍ତି,“ସେ ଖାଇଛନ୍ତି ନା ନାହିଁ, ସେ ନେଇ ଆମେ କ’ଣ ତଦନ୍ତ କରିବୁ? ସେ ଡାଇବେଟିସ୍ ରୋଗୀ। ସେ କ’ଣ ଉପାସରେ ବିଧାନସଭା ଆସିଛନ୍ତି?” ସେ ଆହୁରି କହିଛନ୍ତି,“ସମସ୍ତଙ୍କର ବିଧାନସଭାରେ କହିବାର ଅଧିକାର ରହିଛି। ମହାରଥୀ ଯାହା ଅନୁଭବ କଲେ, ତାହା କହିଛନ୍ତି।”

By amfnews

Related Post