172 Views
ଭୁବନେଶ୍ୱର, ଅକ୍ଟୋବର ୨୪ : ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଟକ ଜିଲ୍ଲାର ଚୌଦ୍ୱାର ଅଂଚଳରେ ଶନିବାର ହାତୀ ଉପଦ୍ରବ ଦେଖାଯାଇଛି । କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ପଶ୍ଚିମାଂଚଳ ରେଂଜ ଅଁଳାବେରଣୀ ସେକ୍ସନ ସୋଗର ଗାଁରେ ୨୩ଟିକିଆ ହାତୀପଲ ଉତ୍ପାତ କରିଛନ୍ତି । ହାତୀମାନେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ରାତି ପାହିଲା ପରେ ହାତୀମାନେ ଏବେ ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ଅଛନ୍ତି । ତେବେ ହାତୀମାନଙ୍କର ଦୌରାତ୍ମ୍ୟ ଦେଖି ଗାଁ ଲୋକେ ଭୟଭୀତ ହୋଇଛନ୍ତି । ବନ ବିଭାଗ ହାତୀ ଘଉଡାଇବା ଲାଗି ଉଦ୍ୟମ ଜାରି ରଖିଛି ।
ସେହିପରି ଚୌଦ୍ୱାର ଅଂଚଳରେ ମଧ୍ୟ ଆଜି ସକାଳୁ ଏକ ଦନ୍ତା ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବାଣପଦା ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ହାତୀ ପ୍ରବେଶ କରିଛି । ନିକଟସ୍ଥ ଚମଣୀ ଜଙ୍ଗଲରୁ ହାତୀ ଚାଲିଆସିଥିବା ସନ୍ଦେହ କରାଯାଉଛି । ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ଘଉଡାଇବାକୁ ଉଦ୍ୟମ ହୋଇଛି ।