Sun. Mar 8th, 2026

କଶ୍ମୀର ଓ ଆତଙ୍କବାଦ ସମସ୍ୟାର ସମାଧାନ ଏକାକୀ କରିପାରିବେ ମୋଦି: ଟ୍ରମ୍ପ

175 Views

ନୂଆଦିଲ୍ଲୀ  : କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ପଦକ୍ଷେପକୁ ଭରସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କଶ୍ନୀରରେ ଦେଖାଦେଇଥିବା ଆତଙ୍କବାଦୀ ସମସ୍ୟା ଏବଂ କଶ୍ମୀରର ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାକୀ କରି ପାରିବେ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଆଗାମୀ ଦିନରେ ବିନା ତୃତୀୟ ପକ୍ଷ ହସ୍ତକ୍ଷେପରେ ନୂଆଦିଲ୍ଲୀ ପାକିସ୍ତାନ ସହ ସମ୍ପର୍କ ଆଗକୁ ବଢ଼ାଇବ ବୋଲି ଆମେରିକା ରାଷ୍ଟ୍ରପତି ଆଶା ରଖିଥିବା ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି।

ଜାତିସଂଘର ସାଧାରଣ ପରିଷଦ ଆମେରିକାରେ ଚାଲିଥିବା ବେଳେ ଏହି ଅବସରରେ ଗତକାଲି ମୋଦି ଏବଂ ଟ୍ରମ୍ପ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ଦୁଇ ଦେଶ ଆଫଗାନିସ୍ତାନର ସ୍ଥିତି ବାବଦରେ ଅବଗତ ହୋଇଥିଲେ। ଆଗକୁ କିଭଳି ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବଢ଼ିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଏହି ଅବସରରେ ଟ୍ରମ୍ପ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ଆସିଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଆସନ୍ତା ୨୭ରେ ମଧ୍ୟ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଭେଟ ହେବ। ଏହି ଅବସରରେ ବହୁ ବଡ଼ ଘୋଷଣା ହେବ ବୋଲି ଆଶା କରାଯାଉଛି।

ଧାରା ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ କଶ୍ମୀରକୁ କେନ୍ଦ୍ର ସରକାର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ଗୋଟିଏ ଲଦାଖ ଅନ୍ୟଟି ଜମ୍ମୁ କଶ୍ମୀର। ଧାରା ୩୭୦ ଉଚ୍ଛେଦ ହେବା ପରେ ଏହି ସମସ୍ତ ଅଞ୍ଚଳରେ ବିକାଶ ହେବ ବୋଲି କେନ୍ଦ୍ର ସରକାର କହିସାରିଛନ୍ତି। କାରଣ ଜମ୍ମୁ କଶ୍ମୀରକୁ ପୂର୍ବରୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦ ବଳବତ୍ତର ଥିବା ସମୟରେ ଏହି ରାଜ୍ୟରେ ପୁଞ୍ଜି ନିବେଶ, ବିକାଶ ପାଇଁ ଘରୋଇକରଣ ଇତ୍ୟାଦି ଉପରେ କଟକଣା ରହିଥିଲା।

By amfnews

Related Post