ଭୁବନେଶ୍ୱର : କଶ୍ମୀରବାସୀଙ୍କ ସ୍ଥିତି ପରଖିବାକୁ ଯାଇଥିବା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ କଶ୍ମୀରରେ ପ୍ରବେଶ କରିବାକୁ ଦିଆଯାଇ ନାହିଁ। ପ୍ରଫୁଲ୍ଲଙ୍କୁ ଜମ୍ମୁ-କଶ୍ମୀରରେ ପ୍ରବେଶ କରାଇ ନ ଦେବାକୁ ବଡ଼ଗାଁ ଜିଲ୍ଲାପାଳ ସକୁର୍ଲାର ଜାରି କରିଛନ୍ତି। ଗତ ୪ ତାରିଖ ଦିନ ବିମାନ ବନ୍ଦରରେ ଓହ୍ଲାଇବା ପରେ ପରେ ତାଙ୍କୁ ପୁଲିସ ଘେରିଯିବା ସହ ସେଠାରୁ ହିଁ ଓଡ଼ିଶା ଫେରି ଆସିବା ପାଇଁ ବାଧ୍ୟ କରିଛି। ୯ ଘଣ୍ଟା କାଳ ତାଙ୍କୁ ସେଠାରେ ଅଟକ ରଖିଥିଲା। ତେବେ କଶ୍ମୀର ସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଯେଉଁ କଥା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ବୋଲି ଆଜି ଲୋହିଆ ଏକାଡେମିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି। ତାଙ୍କ ସହିତ ମାଗାସେସେ ପୁରସ୍କାର ବିଜେତା ସନ୍ଦୀପ ପାଣ୍ଡେ ଓ ଶାନ୍ତି ସଦ୍ଭାବ ଅଭିଯାନ ଚଳାଇଥିବା ଫଇଜଲ ଖାନ୍ ଥିଲେ। ଉଭୟଙ୍କ ନାମରେ ମଧ୍ୟ ଜିଲ୍ଲାପାଳ ଅନୁରୂପ ସକୁର୍ଲାର ଜାରି କରିଛନ୍ତି।
ଶ୍ରୀ ସାମନ୍ତରାୟ ଆଜି କହିଛନ୍ତି, ସେଠାରେ ଏକ ଖବର କାଗଜ ‘ବ୍ରାଇଟର କଶ୍ମୀର’ରେ ପ୍ରକାଶ ପାଇଛି କି ସରକାର ସ୍କୁଲ ଖୋଲିବା ପାଇଁ ଚାହିଛନ୍ତି, ସ୍କୁଲ ବି ଖୋଲିଛି, ହେଲେ ସ୍କୁଲକୁ ପିଲା ଆସୁନାହାନ୍ତି। ଯାନ ବାହାନ ଚଳାଚଳ ନଥିବାରୁ ଫଳ ବଗିଚାରୁ ଫଳ ବଜାରକୁ ଆସି ପାରୁନାହିଁ। ଆଇଟି କମ୍ପାନି କର୍ମଚାରୀଙ୍କୁ ଦୁଇ ମାସର ଦରମା ଦେଇ ଛୁଟିରେ ପଠାଇ ଦେଇଛି। ଜରୁରୀ ପରିସ୍ଥିତି ଠାରୁ ପରିସ୍ଥିତି ଆହୁରି ସଙ୍ଗୀନ ରହିଛି। କଶ୍ମୀରବାସୀଙ୍କୁ ଭାରତୀୟଙ୍କ ଭଳି ଆଚରଣ କରା ଯାଉନାହିଁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ତାଙ୍କ ଦ୍ବିତୀୟ ପାଳିରେ ସଂଖ୍ୟା ଗରିଷ୍ଠତା ପାଇବା ପରେ ଆରଏସ୍ଏସ୍ ଏଜେଣ୍ଡା କାର୍ଯ୍ୟକାରୀ କରୁଛନ୍ତି। ଏଭଳି ଏକ ଜରୁରୀ କାଳୀନ ଭଳି ସ୍ଥିତିରେ ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଛନ୍ତି। ଲୋକମାନଙ୍କୁ ଏଭଳି ଚାପରେ ରଖି ନିଜ ଆଡକୁ ବନ୍ଧୁକ ମୁନରେ ସମର୍ଥନ ଗୋଟାଇବାକୁ ମୋଦୀ ସରକାର ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି। ଆଗ ବିଧାନସଭା ନିର୍ବାଚନ କରାଗଲେ ସରକାରଙ୍କ ଅସଲ ରୂପ ପଦାରେ ପଡ଼ନ୍ତା ବୋଲି ସେ କହିଛନ୍ତି।
ପ୍ରଥମେ କଶ୍ମୀରବାସୀଙ୍କ ଭାରତୀୟ ଭାବରେ ବିବେଚନା ଓ ଆଚରଣ କରାଯାଉ, ତାଙ୍କୁ ବିଶ୍ବାସକୁ ନେଇ ଗାଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଦିଅଯାଉ, ଦମନଲୀଳା ବନ୍ଦ ହେଉ, ଧାରା ୩୫ (ଏ) ପୁନଃ କାର୍ଯ୍ୟକାରୀ ହେଉ ବୋଲି ସେ ଦାବି କରିଛନ୍ତି।