Sat. Mar 7th, 2026

କଳିଙ୍ଗନଗର ବିକାଶର ଓଲଟା ଚିତ୍ର : ହାଣ୍ଡିଆ ବିକି ପାଠପଢ଼ା

325 Views

ଦାନଗଦୀ : କଥାରେ ଅଛି ଇଚ୍ଛାଶକ୍ତି ଆଗରେ ସବୁକିଛି ହାରମାନେ। ଇଚ୍ଛାଥିଲେ ଉପାୟ ବଳେବଳେ ଆସେ। ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଇସ୍ପାତ ରାଜଧାନୀ କଳିଙ୍ଗନଗରରେ। ଶିଳ୍ପନଗରୀ ତ୍ରିଜଙ୍ଗା କଲୋନିରେ ଅବସ୍ଥାପିତ ଯାଉଁଳି ବଦରା। ସ୍ଥାନୀୟ ଗୁଲାମରସୁଲ ହାଇସ୍କୁଲରେ୧୦ମ ଶ୍ରେଣୀରେ ପାଠ ପଢ଼େ। ପରିବାର ପ୍ରତିପୋଷଣ ପାଇଁ ସଂଧ୍ୟାରେ କଲୋନି ପଡ଼ିଆରେ ହାଣ୍ଡିଆ ବିକେ। ବେପାରରୁ ଯାହା କିଛି ଟଙ୍କା ରୋଜଗାର ହୁଏ, ସେଥିରେ ପରିବାର ପ୍ରତିପୋଷଣ କରେ। ସକାଳ ହେଲେ ସ୍କୁଲକୁ ଧାଏଁ। ଗୁରୁତ୍ବପୂର୍ଣ୍ଣ ହେଲା, ଯାଉଁଳି ମୁଣ୍ଡରେ ଦୁଇ ସାନ ଭାଇଙ୍କ ପାଠପଢ଼ା ଦାୟିତ୍ବ ସହିତ ରୋଗଣା ମା’ର ବୋଝ। ଏ ହେଉଛି କଳିଙ୍ଗନଗର ବିକାଶର ଓଲଟା ଚିତ୍ରର ଆଉ ଏକ ଫର୍ଦ୍ଦ।

ବଂଶୀପୁର ଗ୍ରାମର ମଙ୍ଗଳ ବଦରା। ସ୍ତ୍ରୀ ଓ ତିନି ପିଲାଙ୍କୁ ନେଇ ବେଶ ହସଖୁସିରେ ଦିନ କାଟୁଥିଲେ। ୨୦୦୫ ମସିହା ତାଙ୍କ ପାଇଁ ଆଣି ଦେଇଥିଲା ଦୁଃଖ ଓ ଦୁର୍ଦ୍ଦିନ। ଜିନ୍ଦଲ କାରଖାନା ପ୍ରତିଷ୍ଠା ପାଇଁ ସେ ଚାଷ ଓ ବାସ ହରାଇଥିଲେ। ଭିଟାମାଟି ଛାଡ଼ି ତ୍ରିଜଙ୍ଗା କଲୋନିରେ ରହିଲେ। ଦୁଃଖକଷ୍ଟ ଓ ମାନସିକ ଯନ୍ତ୍ରଣାରେ ଛଟପଟ ହୋଇ ମାତ୍ର ବର୍ଷକ ପରେ ୨୦୦୬ରେ ଅଜଣା ରୋଗରେ ତାଙ୍କ ଜୀବନ ଚାଲିଗଲା। ମଙ୍ଗଳଙ୍କ ମୃତ୍ୟୁ ପରେ ପରିବାରର ବୋଝ ଉଠାଇଥିଲେ ବିଧବା ପତ୍ନୀ ବୀରେନ। ତାଙ୍କ କ୍ଷେତ୍ରରେ ମଧ୍ୟ ଦଇବ ଦାଉ ସାଧିଲା। ସେପଟେ ସ୍ବାମୀଙ୍କ ମୃତ୍ୟୁର ଦୁଃଖ, ଏପଟେ କାରଖାନା କର୍ତୃପକ୍ଷଙ୍କ ଅବହେଳା। ସ୍ବାମୀଙ୍କ ମୃତ୍ୟୁପରେ ଟଙ୍କାଟିଏ ବି କଂପାନି କର୍ତୃପକ୍ଷ ଦେଲେନାହିଁ। ବିଚାରୀ ବୀରେନ ମଧ୍ୟ ଇତିମଧ୍ୟରେ ଅଜଣା ରୋଗର ଶିକାର ହେଲେ। ତାଙ୍କ ଚିକିତ୍ସା ପାଇଁ ଟଙ୍କାର ଅଭାବକୁ ଛୁଆଙ୍କ ବୋଝ। ଏଭଳି ସ୍ଥିତିରେ ବଡ଼ପୁଅ ଯାଉଁଳି ହାଣ୍ଡିଆ ବିକିବାକୁ ଯାଉଥିବା ପରିବାର ଲୋକ କହିଛନ୍ତି।

By amfnews

Related Post