Sat. Mar 7th, 2026

କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩୧ଜଣଙ୍କୁ ଚିହ୍ନଟ କରି କ୍ବାରେଣ୍ଟାଇନରେ ରଖାଗଲା

210 Views

ଭବାନୀପାଟଣା: ଗତକାଲି କଳାହାଣ୍ଡି ଜିଲ୍ଲାର ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କ ସମେତ ୩୧ଜଣଙ୍କୁ ଚିହ୍ନଟ କରାଯାଇଥିବାର ସୂଚନା ମିଳିଛି। ସେହି ଲୋକମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଉଛି। ସେମାନଙ୍କର ନମୁନାର ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିବାର ବି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ବ୍ୟକ୍ତିଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ପଠାଯାଇଛି।

ଏଣେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ତାହା ଅନୁଯାୟୀ, ଆଜି ଗୋଲାମୁଣ୍ଡା ବ୍ଲକର ଖମାର ହଳଦୀ ପଞ୍ଚାୟତ ଅଞ୍ଚଳକୁ ସଟଡାଉନ୍ କରାଯାଇଛି। ଏହି ଅଞ୍ଚଳରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ଲୋକଙ୍କ ବାହାରକୁ ଯିବା ଆସିବା ଉପରେ କଟକଣା ଜାରି କରିଛି ପ୍ରଶାସନ। କିନ୍ତୁ, ଆତଙ୍କିତ ନହେବାକୁ ଜନସାଧାରଣଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଘର ଗୋଲାମୁଣ୍ଡା ବ୍ଲକର ଖମାର ହଳଦୀ ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡ଼ା ଗାଁରେ | ସେ ବାହାରିନରେ ଜଣେ ଫିଟର ଭାବରେ କାର୍ଯ୍ୟ କରୁଛନ୍ତି। ସଂପୃକ୍ତ ଯୁବକ ୧୭ ଦିନ ପୂର୍ବରୁ ବାହାରିନରୁ ନିଜ ଗାଁକୁ ଫେରିଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଆଜି ସକାଳେ ଉକ୍ତ କାରୋନା ଆକ୍ରାନ୍ତଙ୍କ ଗୋଲାମୁଣ୍ଡା ବ୍ଲକର ବେହେରାଗୁଡା ଗାଁରେ ଥିବା ଘରେ ଜିଲ୍ଲା ମେଡିକାଲ୍ ଟିମ୍ ପହଞ୍ଚିଥିଲେ। ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ଅଣାଯିବ ବୋଲି ସୂଚନା ମିଳିଥିଲା।

By amfnews

Related Post