Sat. Mar 7th, 2026

କଲରାପତରିଆ ବାଘ ଛଟପଟ : ଜନ୍ତୁ ଫାଶରେ ଫସିଲା, ୧୨ଘଣ୍ଟା ପରେ ଖସିଗଲା

360 Views

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ‘ସୁନ୍ଦରୀ’ ଭୟ ଆତଙ୍କ ଖେଳାଇଥିବା ବେଳେ ତା’ଠାରୁ କିଛି କିଲୋମିଟର ଦୂର ଛେଣ୍ଡିପଦା ବ୍ଲକ ଜରପଡା ରେଞ୍ଜ କୋରଡ଼ା ଗ୍ରାମ ନିକଟ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲରେ ଗତକାଲି ରାତିରେ ଏକ କଲରାପତରିଆ ବାଘ ଜନ୍ତୁ ଶିକାର ଫାଶରେ ଫସି ଯାଇଥିଲା। ଦୀର୍ଘ ୧୨ଘଣ୍ଟା କାଳ ବାଘ ଛଟପଟ ହେବା ପରେ କୌଶଳ କ୍ରମେ ଫାଶରୁ ଖସି ପଳାଇଛି।ବନ ବିଭାଗ ସୂତ୍ର ମୁତାବକ, ଜନ୍ତୁ ଶିକାର ପାଇଁ କେହି ଦୁର୍ବୃତ୍ତ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲ କୋରଡ଼ା ଗାଁ ନିକଟରେ ୭୦୦ମିଟର ଉଚ୍ଚରେ ଥିବା ପାହାଡ଼ ଗୁମ୍ଫା ପାଖରେ ତାର ତିଆରି ଫାଶ ବିଛାଇଥିଲା।

ଗତକାଲି ବିଳମ୍ବିତ ରାତିରେ କଲରାପତରିଆ ବାଘ ଆସି ସେହି ଫାଶରେ ଛନ୍ଦି ହୋଇଯାଇଥିଲା। ଫାଶରୁ ମୁକୁଳିବାକୁ ବାଘ ଉଦ୍ୟମ କରି ବିଫଳ ହୋଇଥିଲା। ବରଂ ବାଘ ରଡ଼ିରେ ଜଙ୍ଗଲ କମ୍ପି ଥିଲା। ସକାଳୁ ଛତୁ ଖୋଜିବାକୁ ଯାଇଥିବା ସ୍ଥାନୀୟ ଲୋକେ ବାଘକୁ ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ବାଘ ଦେଖିବାକୁ ବିଭିନ୍ନ ଗ୍ରାମରୁ ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ। ଏସିଏଫ୍‌ ବାସୁଦେବ ନାୟକ, ଜରପଡ଼ା ରେଞ୍ଜର ହୃଦାନନ୍ଦ ନାଏକ, ଛେଣ୍ଡିପଦା ରେଞ୍ଜର ଦୁର୍ଗାଚରଣ ସାହୁଙ୍କ ସମେତ ୨୦ଜଣ ବନ କର୍ମଚାରୀ ଓ ନିଶ୍ଚେତକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏତେ ସଂଖ୍ୟକ ଲୋକଙ୍କୁ ଦେଖି ବାଘ ତାର ଫାଶକୁ କାମୁଡ଼ି ଅପରାହ୍‌ଣ ୪ଟା ବେଳକୁ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଛି। ବାଘ ଦୌଡ଼ି ପଳାଉଥିବା ବେଳେ ଘଟଣାସ୍ଥଳରୁ ଲୋକେ ଜୀବନ ବିକଳରେ ଛତ୍ରଭଙ୍ଗ ଦେଇଥିଲେ।

By amfnews

Related Post