ପୁରୀ,ନଭେମ୍ବର ୦୪ : ଆଶ୍ରୟସ୍ଥଳୀରେ ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲେ ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଏବେ ବି ଖାଇବା ପାଇଁ କଲବଲ ହେଉଛନ୍ତି ହବିଷ୍ୟାଳି। ଦିନଯାକ ସେମାନଙ୍କୁ ଖାଡ଼ା ଉପବାସ ରହିବାକୁ ପଡ଼ୁଛି। ଖାଦ୍ୟପେୟରେ ଅହେତୁକ ବିଳମ୍ବ ଯୋଗୁ ଆଶ୍ରୟସ୍ଥଳୀରେ ରହିବାର ୧୦ ଦିନ ମଧ୍ୟରେ ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟା ୧୪୦ ଛୁଇଁଲାଣି। ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବଢ଼ିବା ସହ ପରିସ୍ଥିତି ଅଣାୟତ ହେବାରେ ଲାଗିଲାଣି। ତଥାପି ଏଥି ପ୍ରତି ପ୍ରଶାସନର ନିଘା ନାହିଁ। ଯେଉଁ ସଂଖ୍ୟାରେ ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଛି ସେହି ଅନୁସାରେ ହବିଷ୍ୟାଳିମାନେ ଆଶ୍ରୟସ୍ଥଳୀ ଛାଡ଼ି ଘରକୁ ଫେରି ଯାଉଛନ୍ତି। ମହାପ୍ରସାଦ ସେବନର ସମୟ ପରିବର୍ତନ ନକଲେ ଆଗକୁ ଏହି ସ୍ଥିତି ଯେ ସଙ୍ଗୀନ୍ ହୋଇପଡ଼ିବ ତାହା ଜଳଜଳ ହୋଇ ଦିଶୁଛି।
ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ହବିଷ୍ୟାଳିମାନଙ୍କ ରହିବା, ଖାଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ସହରର ଚାରିଟି ଆଶ୍ରୟସ୍ଥଳୀରେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୬୦୦ରୁ ଅଧିକ ହବିଷ୍ୟାଳି ରହୁଛନ୍ତି। ଏମାନଙ୍କ ପାଇଁ ସବୁ ସୁବିଧା କରାଯାଇଥିଲେ ବି ଖାଇବାରେ ଅହେତୁକ ବିଳମ୍ବ ଯୋଗୁ ହବିଷ୍ୟାଳିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଉଛି। ହବିଷ୍ୟାଳିମାନେ ଓଳିକିଆ ଖାଉଥିବା ବେଳେ ଏମାନଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। କିନ୍ତୁ ଓଳିକିଆ ଖାଉଥିବା ହବିଷ୍ୟାଳିଙ୍କୁ ଦିନକୁ ଥରେ ମହାପ୍ରସାଦ ସେବନ ପାଇଁ ଦିଆଯାଉଥିବାବେଳେ ଏହାକୁ ଦ୍ବିପ୍ରହର ବଦଳରେ ସଂଧ୍ୟାରେ ଦିଆଯାଉଛି।
ହବିଷ୍ୟାଳିମାନେ ଖାଇବା ବେଳକୁ ସଂଧ୍ୟା ୬ରୁ ୭ଟା ସମୟ ହୋଇଯାଉଛି। ଖାଦ୍ୟ ସେବନରେ ଦୀର୍ଘ ସମୟ ବିଳମ୍ବ କାରଣରୁ ହବିଷ୍ୟାଳିଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ସ୍ବାଭାବିକ କଥା। ଯେଉଁଥି ପାଇଁ ଦୈନିକ ଝାଡ଼ାବାନ୍ତି, ମୁଣ୍ଡବିନ୍ଧା, ଜ୍ବର, ଗ୍ୟାସ୍ ଆଦିରେ ଆକ୍ରାନ୍ତ ହୋଇ ହବିଷ୍ୟାଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେଉଛନ୍ତି। ସରକାରୀ ତଥ୍ୟ ମୁତାବକ, ଆଜି ସୁଦ୍ଧା ୧୪୦ ଜଣ ହବିଷ୍ୟାଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହେଲେଣି। ପ୍ରତ୍ୟହ ୧୦ରୁ ୨୦ ଜଣ ହବିଷ୍ୟାଳି ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତି ହେଉଥିବା ବେଳେ କିଛି ଆଶ୍ରୟସ୍ଥଳୀ ଛାଡ଼ିବା ଆରମ୍ଭ କରିଛନ୍ତି। ଏହା ଭିତରେ ୩୦ରୁ ଅଧିକ ହବିଷ୍ୟାଳି ଆଶ୍ରୟସ୍ଥଳୀ ଛାଡ଼ି ସାରିଥିବା ଜଣାଯାଇଛି।