Mon. Dec 23rd, 2024

କର୍ଣ୍ଣାଟକ ନଗର ପାଳିକା ନିର୍ବାଚନ: ବିଜେପିକୁ ପଛରେ ପକାଇ ଆଗରେ କଂଗ୍ରେସ

By amfnews Sep 3, 2018 #Featured
252 Views

ବେଙ୍ଗାଲୁରୁ,ସେପ୍ଟେମ୍ବର୦୩:

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ବିଜେପି ଏବେ ନଗର ପାଳିକା ନିର୍ବାଚନରେ ମଧ୍ୟ ନିରାଶ ହୋଇଛି। ଏ ପର୍ୟ୍ୟନ୍ତ ଘୋଷିତ ୨୨୬୭ ସିଟର ଫଳାଫଳରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସ ୮୪୬, ବିଜେପି ୭୮୮,  ଜେଡିଏସ ୩୦୭ ଓ ସ୍ଵାଧୀନ ୨୭୭ ସିଟରେ ବିଜୟୀ ହୋଇଛନ୍ତି।  ବିଜେପି ସିମୋଗାରେ ବିଜୟୀ ହେବା ସହିତ ମହୀଶୂର ଓ ତୁମକୁର ନଗର ନିଗମରେ ଆଗରେ ରହିଛି। ମାତ୍ର ନଗର ପାଳିକା, ଓ୍ଵାର୍ଡ ଓ ନଗର ପଞ୍ଚାୟତରେ ପଛୁଆ ରହିଛି। ପାର୍ଟି ମଧ୍ୟ ନିର୍ବାଚନରେ ନିଜର ପରାଜୟ ସ୍ଵୀକାର କରିଛି।

କର୍ଣ୍ଣାଟକ ବିଜେପିର ଅଧ୍ୟକ୍ଷ ବିଏସ ୟେଦୁରପ୍ପା କହିଛନ୍ତି ଯେ  ମେଣ୍ଟ ସରକାର କାରଣରୁ ପାର୍ଟି ଆଶା ମୁତାବକ ପ୍ରଦର୍ଶନ କରି ପାରି ନାହିଁ। ସେ କହିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଉନ୍ନତ ପ୍ରଦର୍ଶନ କରିବ।  ୟେଦୁରପ୍ପା ନିର୍ବାଚନ ପୂର୍ବରୁ ୫୦ ରୁ ୬୦ ପ୍ରତିଶତ ସିଟରେ ଦଳ ବିଜୟୀ ହେବ ବୋଲି ଦୃଢତା ପ୍ରକାଶ କରିଥିଲେ।

କୁମାରସ୍ଵାମୀଙ୍କ ପାଇଁ ଝଟକା

ଏ ପର୍ୟ୍ୟନ୍ତ ଆସିଥିବା ନିର୍ବାଚନ ପରିଣାମ ମୁତାବକ କଂଗ୍ରେସ ସବୁଠୁ ବଡ଼ ପାର୍ଟି ରୂପେ ଆର୍ବିଭାବ ହୋଇ ୮୪୬ ସିଟ୍ ଜିତିଛି।  ୭୮୮ ସିଟ୍ ସହିତ ବିଜେପି ଦ୍ଵିତୀୟରେ ରହିଛି। ଅନ୍ୟ ପଟେ ରାଜ୍ୟରେ କଂଗ୍ରେସ ସହ ସରକାର ଚଳାଉଥିବା ମୁଖ୍ୟମନ୍ତ୍ରୀ କୁମାରସ୍ଵାମୀଙ୍କ ପାର୍ଟି ଜେଡିଏସକୁ ଲାଗିଛି ଜୋରଦାର ଝଟକା ଏବଂ ଦଳକୁ ମିଳିଛି ମାତ୍ର ୩୦୭ ସିଟ୍। ଖାସ୍ କଥା ଏହା ଯେ ନିର୍ଦ୍ଦଳୀୟ ୨୭୭ଟି ସିଟ୍ କବଜା କରିଛନ୍ତି।

ଉଲ୍ଲେଖଯୋଗ୍ୟ ମୋଟ୍ ୮,୩୪୦ ମଧ୍ୟରୁ ୨,୩୦୬ କଂଗ୍ରେସ, ୨,୨୦୩ ବିଜେପି ଓ ୧୩୯୭ ଜେଡିଏସ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ  କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଚଳାଉଛନ୍ତି। ଉଲ୍ଲେଖଯୋଗ୍ୟ  ୨୦୧୩ରେ ୪,୯୭୬ ସିଟରେ ନଗର ପାଳିକା ନିର୍ବାଚନ ହୋଇଥିଲା। ସେହି ସମୟରେ କଂଗ୍ରେସ ୧୯୬୦ ସିଟରେ ବିଜୟୀ ହୋଇଥିବା ବେଳେ ବିଜେପି ଓ ଜେଡିଏସ ପ୍ରତ୍ୟେକ ୯୦୫ ସିଟ୍ ଜିତିଥିଲେ।  ନିର୍ଦ୍ଦଳୀୟଙ୍କ ଖାତାକୁ ଯାଇଥିଲା ୧୨୦୬ଟି ସିଟ୍।

By amfnews

Related Post