Sun. Mar 8th, 2026

କର୍ଣ୍ଣାଟକା: ହଠାତ୍ କାହିଁକି ବିଜେପିର ସରକାର ଗଢ଼ିବା ନେଇ ମୁଡ୍ ବଦଳିଲା

278 Views

ବେଙ୍ଗାଲୁରୁ: ୧୪ ମାସର କର୍ଣ୍ଣାଟକାର ମେଣ୍ଟ ସରକାର ଭାଙ୍ଗିବା ପରେ ରାଜ୍ୟରେ ସରକାର ଗଢ଼ିବା ନେଇ ବିଜେପି ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳୁଥିଲା। ଲାଗୁଥିଲା ବିଜେପି ତରବରିଆ ଭାବରେ ସରକାର ଗଢ଼ିବାକୁ ଚାହୁଁନି, କାରଣ ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ବାବଦରେ ନିଷ୍ପତ୍ତି ନେଇନଥିଲେ। ତେଣୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଆଜି ସନ୍ଧ୍ୟାରେ ହିଁ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଅନ୍ୟପଟେ ଗତକାଲି ଦିଲ୍ଲୀରେ ବିଜେପି ସଭାପତି ଅମିତ ଶାହ ଓ କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡାଙ୍କୁ କର୍ଣ୍ଣାଟକା ବିଜେପିର ପ୍ରତିନିଧି ଦଳ ଭେଟିବା ପରେ ମଧ୍ୟ ସରକାର ଗଢ଼ିବା ନେଇ କିଛି ସୂଚନା ମିଳିନଥିଲା। ହେଲେ ଆଜି ସକାଳେ ହଠାତ୍ ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ଦୁରପ୍ପା ଭେଟିବା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ଇସ୍ତଫା ଦେଇଥିବା ତିନି ବିଧାୟକଙ୍କୁ ଗତକାଲି ବାଚସ୍ପତି ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ। ବାକି ୧୪ ବିଦ୍ରୋହୀ ବିଧାୟକଙ୍କ ବାବଦରେ ନିଷ୍ପତ୍ତି ପାଇଁ ସମୟ ଲାଗିବ ବୋଲି ସେ କହିଥିଲେ। କିନ୍ତୁ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଆଉ ଅପେକ୍ଷା ନକରି ୟେଦ୍ଦୁରପ୍ପା ସରକାର ଗଢ଼ିବା ପାଇଁ ଦାବି କରିଛନ୍ତି।

ଯଦି ବାଚସ୍ପତି ୧୪ ବିଧାୟକଙ୍କ ଇସ୍ତଫା ଗ୍ରହଣ କରନ୍ତି ତାହେଲେ ବିଜେପି ଏହି ଆସନ ଗୁଡ଼ିକରେ ଉପ ନିର୍ବାଚନରେ ଜିତି ଗୃହରେ ବିଧାୟକ ସଂଖ୍ୟା ୧୧୩ କରିବାକୁ ଚେଷ୍ଟା କରିବ। ଯଦି ଅଯୋଗ୍ୟ ଘୋଷିତ ହୁଅନ୍ତି ତାହେଲେ ଗୃହରେ ଆସନ ସଂଖ୍ୟା କମିଯିବ ଏଥିସହ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ମଧ୍ୟ କମିବ। ପରିଣାମସ୍ୱରୂପ ଶାସକ ଦଳ ବିଜେପି ସଂଖ୍ୟା ଗରିଷ୍ଠତା ଲାଭ କରିବାରେ ଅସୁବିଧା ହେବନି। ଅର୍ଥାତ୍ ସରକାର ଭାଙ୍ଗିବାର ସମ୍ଭାବନା ନାହିଁ। ତେଣୁ ବିଏସ୍ ୟେଦ୍ଦୁରପ୍ପା ଆଜି ହଠାତ୍ ସକାଳୁ ସକାଳୁ ସରକାର ଗଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି।

By amfnews

Related Post