Sun. Jan 12th, 2025

କର୍ଣ୍ଣାଟକାରେ ରାଜନୀତିକ ସଙ୍କଟ

By amfnews Jul 10, 2019 #Featured
121 Views

ବେଙ୍ଗାଲୁରୁ  : କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ ବିଧାୟକ ଇସ୍ତଫା ଦେବା ପରେ ଆରମ୍ଭ ହୋଇଛି ରାଜନୀତିକ ନାଟକ। ଆଜି କର୍ଣ୍ଣାଟକା ବିଜେପିର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ଦୁରପ୍ପା ଆଜି ବିଧାନସଭା ବାହାରେ ଦଳୀୟ ବିଧାୟକଙ୍କ ସହ ଧାରଣା ଦେଇଛନ୍ତି।

ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ପାଇଁ କଂଗ୍ରେସ ଓ ଜେଡିଏସ ବିଜେପିକୁ ଦାୟୀ କରୁଥିବା ବେଳେ ବିଜେପି ମଧ୍ୟ ମେଣ୍ଟ ସରକାରରେ ଗୋଷ୍ଠୀ କନ୍ଦଳ ଥିବା କଥା କହି ନିଜ ଉପରୁ ଦୋଷ ହଟାଉଛି।

ଅନ୍ୟପଟେ ଇସ୍ତଫା ଦେଇଥିବା କଂଗ୍ରେସ ଏବଂ ଜେଡିଏସ ବିଧାୟକ ମୁମ୍ୱାଇର ଏକ ପଞ୍ଚ ତାରକା ହୋଟେଲରେ ରହୁଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ପରେ ମୁମ୍ୱାଇ ରିଜର୍ଭ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

ଏଥିସହ ଏହି ପଞ୍ଚତାରକା ହୋଟେଲରେ କର୍ଣ୍ଣାଟକା କଂଗ୍ରେସର ସଙ୍କଟମୋଟକ ତଥା ମନ୍ତ୍ରୀ ଶିବକୁମାର ଏହି ହୋଟେଲରେ ରହିବା ପାଇଁ ବୁକିଂ କରିଥିଲେ। କିନ୍ତୁ ହୋଟେଲ କତ୍ତୃପକ୍ଷ ଏହାକୁ ବାତିଲ୍ କରି ଦେଇଛନ୍ତି।

ଏହାପରେ ଶିବକୁମାର ପ୍ରତିକ୍ରିୟାରେ କହିଛନ୍ତି ସେ ତାଙ୍କ ବନ୍ଧୁମାନଙ୍କୁ ଭେଟିବାକୁ ଆସିଛନ୍ତି। ତାଙ୍କ ବନ୍ଧୁ ଓ ତାଙ୍କର ଜନ୍ମ ସମାନ ରାଜନୀତିକ ଦଳରୁ। ତେବେ ସୂଚନା ଅନୁଯାୟୀ ଇସ୍ତଫା ଦେଇଥିବା ବିଧାୟକ କୁମାରସ୍ୱାମୀ ଏବଂ ଶିବକୁମାରଙ୍କୁ ଭେଟିବାକୁ ଚାହୁଁ ନାହାନ୍ତି।

ତେଣେ ଇସ୍ତଫା ଦେଇଥିବା ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଇନଜୀବୀ ମୁକୁଲ ରୋହତଗି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଗରେ ବିଧାୟକଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି କର୍ଣ୍ଣାଟକା ବାଚସ୍ପତି ନିଜ କାର୍ଯ୍ୟରେ ପାତର ଅନ୍ତର କରୁଛନ୍ତି। ସେଥିପାଇଁ ରାଜନୀତିକ ଅସ୍ଥିରତା ଦେଖାଦେଇଛି। ଏହି ମାମଲାରେ ଆଜି କିମ୍ୱା କାଲି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଶୁଣାଣି କରିପାରନ୍ତି ବୋଲି ସୂଚନା ରହିଛି। ଏଭଳି ରାଜନୀତିକ ସଙ୍କଟ ମଧ୍ୟରେ ଆସନ୍ତା ୧୭ ତାରିଖରେ କୁମାରସ୍ୱାମୀ ସରକାରଙ୍କୁ ଗୃହରେ ବହୁମତ ସାବ୍ୟସ୍ତ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇପାରନ୍ତି।

By amfnews

Related Post