Sun. Mar 8th, 2026

କରୋନା ମାଡ: ୧୦ ଟଙ୍କାରେ ବାଇଗଣ ୨ କିଲୋକୁ, କାକୁଡି ୩ କିଲୋ

271 Views

ଜଳେଶ୍ଵର: ଲାଗୁ ହୋଇଥିବା ସରକାରୀ କଟକଣାର ପ୍ରଭାବ ପଡିଛି ଜଳେଶ୍ଵର ଅଞ୍ଚଳର ପରିବା ଚାଷୀଙ୍କ ଉପରେ। ଦୁରଦୁରାନ୍ତକୁ ପନିପରିବା ପଠାଇ ଦୁଇ ଟଙ୍କା ରୋଜଗାର କରୁଥିବା ଏଅଞ୍ଚଳର ଚାଷୀ ଏବେ କରୋନା ପାଇଁ ଲାଗୁ ହୋଇଥିବା ସରକାରୀ କଟକଣାରେ ଛନ୍ଦି ହୋଇପଡିଛି। ପରିବା ଉତ୍ପାଦନ ସମୟରେ ବାହାରକୁ ପରିବା ପଠାଇବା ସମ୍ପୁର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଓ ପୁଲିସ ଡରରେ ପାଖ ବଜାର ଓ ହାଟକୁ ପରିବା ବିକିବା ପାଇଁ ଚାଷୀ ଯାଇ ନପାରିବା ଫଳରେ ସେମାନେ ଏବେ ଅଭାବୀ ବିକ୍ରି ର ଶୀକାର ହୋଇଛନ୍ତି। ଫଳରେ ବିଭିନ୍ନ ପ୍ରଜାତିର କ୍ୟୁଣ୍ଟାଲ କ୍ୟୁଣ୍ଟାଲ ପରିବା ଏବେ ବାଡିରେ ତୋଳା ନହୋଇ ପଡ଼ି ରହିଛି। ତୋଳା ନହେବା ଯୋଗୁଁ ଏସବୁ ପନିପରିବା କେଉଁଠି ପଚିଯାଉଛି ତ ଆଉ କେଉଁଠି ଚଢ଼େଇ ଓ ପୋକ ମୁହଁରେ ଯାଉଛି।ପରିସ୍ଥିତିରେ ପଡି ଚାଷୀ ଏବେ ମାତ୍ର ୧୦ ଟଙ୍କାରେ ୨ କିଲୋ ବାଇଗଣ,୧୦ ଟଙ୍କାରେ ୨ କିଲୋ କାକୁଡି ବିକିବାକୁ ବାଧ୍ୟ ହେଉଛି। ଏପରି ଅବସ୍ଥା ଆଉ କିଛି ଦିନ ଲାଗି ରହିଲେ ଜଳେଶ୍ଵର ଅଞ୍ଚଳର ପରିବା ଚାଷୀ କ୍ଷତିଗ୍ରସ୍ତ ହୋଇ ଋଣରେ ସମ୍ପୁର୍ଣ୍ଣ ବୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୁବର୍ଣ୍ଣରେଖା ନଦୀତଟରେ ଥିବା ଜଳେଶ୍ଵର ବ୍ଲକର ବାଇଗଣବାଡିଆ, ପଶ୍ଚିମବାର୍ଡ, କେଏମ ସାହି, ଗୋବରଘଟା,ଲକ୍ଷ୍ମଣନାଥ,ଓଲମରା, ମାକଡିଆ, ଡିପିପୁର,ଶ୍ରୀରାମପୁର,ମହମ୍ମଦନଗରପାଟଣା ଆଦି ପଞ୍ଚାୟତ ପରିବା ଚାଷ ପାଇଁ ଖ୍ୟାତ।

ଏଠାକାର ପରିବା ରାଜ୍ୟର ଭୁବନେଶ୍ୱର,କଟକ,ପୁରୀ,ବାଲେଶ୍ଵର ସମେତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳକୁ ଯାଇଥାଏ। ତେବେ କରୋନା ଯୋଗୁଁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ବାହାରକୁ ପନିପରିବା ଯାଇପାରୁନି। ଏପରି ସ୍ଥଳେ ଚାଷୀ ସ୍ଥାନିୟ ବଜାର କିମ୍ବା ସାପ୍ତାହିକ ହାଟରେ ପରିବା ବିକିବା ପାଇଁ ନିର୍ଭର କରିଥିବା ବେଳେ ପୁଲିସ୍ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀ ବଜାର ଓ ସାପ୍ତାହିକ ହାଟକୁ ମଧ୍ୟ ଯାଇପାରୁ ନାହିଁ। ଏହି କାରଣରୁ ଜଳେଶ୍ଵର ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ଚାଷ ହୋଇଥିବା ବାଇଗଣ, ବିଲାତି, କଞ୍ଚାଲଙ୍କା,ବୋଇତାଳୁ, କଲରା, କାକୁଡି, ଭେଣ୍ଡି, ଜହ୍ନି ଆଦି ପନିପରିବାକୁ ନେଇ ଚାଷୀ ଚିନ୍ତାରେ ରହିଛି। ବିକ୍ରି ନହେବାର ଭୟରେ ଚାଷୀ ବାଡିରୁ ଆଉ ପରିବା ତୋଳୁ ନଥିବା ବେଳେ କିଛି ବେପାରି ଚାଷୀଙ୍କ ଘରେ ପହଞ୍ଚି ଯାଉଛନ୍ତି। ଚାଷୀଙ୍କୁ ପରିବା ବିକ୍ରି ନହେବାର ଭୟ ଦେଖାଇ ସେମାନଙ୍କୁ ପ୍ରଭାବିତ କରି ଶସ୍ତା ଦରରେ ପରିବା କିଣୁଛନ୍ତି। ଫଳରେ ଚାଷୀ ତା ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପାଉନଥିବା ବେଳେ ବେପାରୀମାନେ ମାଲେମାଲ ହେଉଛନ୍ତି ବୋଲି ବାଇଗଣବାଡିଆର ଚାଷୀମାନେ କହିଛନ୍ତି |

By amfnews

Related Post