Sat. Mar 7th, 2026

କରୋନା ପାଇଁ ମୁକ୍ତ ହେବେ ୬ ହଜାର କଏଦୀ

167 Views

ଚଣ୍ଡିଗଡ଼ : କରୋନା ଭାଇରସକୁ ଦୃଷ୍ଟିରେ ଜେଲ ବ୍ୟବସ୍ଥାକୁ ସୁଧାବାକୁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର। ଦିନକୁ ଦିନ ପଞ୍ଜାବର ବିଭିନ୍ନ ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ କରୋନା ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଜେଲ ପ୍ରଶାସନ କଏଦୀ ଭାବେ ରହିଥିବା ୩ ହଜାର ଡ୍ରଗ୍ସ ବେପାରୀ ଓ ୨ ହଜାର ୮ଶହ ଛୋଟ ଅପରାଧରେ ଗିରଫ ବ୍ୟକ୍ତିଙ୍କୁ ମୁକ୍ତ କରିବ ବୋଲି ପ୍ରସ୍ତାବ ଦେଇଛି।

୫ ହଜାର ୮ଶହ କଏଦୀଙ୍କୁ ମୁକ୍ତ କରିବା ପାଇଁ ଜେଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଆଗରେ ପ୍ରସ୍ତାବ ଉପସ୍ଥାପନ କରିଛି। ୩ ହଜାର ଡ୍ରଗ୍ସ ବେପାରୀଙ୍କୁ ଏନଡିପିଏସ୍‌ ମାମଲାରେ ଗିରଫ କରାଯାଇଥିଲା। ଏମାନଙ୍କ ଠାରୁ ବହୁତ କମ ପରିମାଣର ଡ୍ରଗ୍ସ ଜବତ ହୋଇଥିଲା। ସେହିପରି ଛୋଟ ଧରଣ ଚୋରି କରି ଗିରଫ ହୋଇଥିବା ୨ ହଜାର ୮ ଶହ କଏଦୀଙ୍କୁ ମଧ୍ୟ ଛାଡ଼ିବାକୁ ପ୍ରସ୍ତାବ ମିଳିଛି।

କରୋନା ଯେମିତି ଜେଲରେ ନ ବ୍ୟାପିବ, ସେଥିପାଇଁ କର୍ତ୍ତୃପକ୍ଷ ଏଭଳି ପ୍ରସ୍ତାବ ଦେଇଛନ୍ତି। ତେବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ବୈଠକ କରିବା ପରେ ନେବେ। ସେହିପରି କିଛି କଏଦୀଙ୍କୁ ଜାମିନ ଓ ପ୍ୟାରୋଲ ଦେବାର ମଧ୍ୟ ବ୍ୟବସ୍ଥା କରାଯାଉଛି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ମଧ୍ୟ ଦିନକୁ ଦିନ ବିଭିନ୍ନ ଜେଲରେ କଏଦୀଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ପ୍ରକଟ କରିବା ସହ ବିଭିନ୍ନ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ।

By amfnews

Related Post