Sat. Mar 7th, 2026

କରୋନା ପାଇଁ ଆମେରିକାର ଏହି ସହରରରେ ଲାଗୁ ହେଲା ଜରୁରୀ ସ୍ଥିତି

210 Views

ଲସ ଆଞ୍ଜେଲସ : ସାରା ବିଶ୍ୱରେ ଏବେ ପ୍ରାଣଘାତୀ କରୋନା ଭାଇରସର ଭୟ ଲୋକଙ୍କୁ ଘାରିବା ଆରମ୍ଭ କରିଛି। ପ୍ରତିଦିନ ବିଶ୍ୱର ବିଭିନ୍ନ ସ୍ଥାନରେ ଶତାଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ବିଶ୍ୱର ସବୁଠାରୁ ଶକ୍ତଶାଳୀ ରାଷ୍ଟ୍ର ଆମେରିକା ବି କରୋନା ଭାଇରସ ପଞ୍ଝାରୁ ବର୍ତ୍ତି ପାରିନାହିଁ।

ଏଯାଏ କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ୧୧ ଜଣଙ୍କ ଜୀବନ ମଧ୍ୟ ଗଲାଣି। ବିଶେଷ କରି ଆମେରିକାର କାଲିଫର୍ଣ୍ଣିଆରେ କରୋନା ଭୟ ଲୋକଙ୍କୁ ଅଧିକ ଘାରିଛି। ଏହି କାରଣରୁ ଆଜି କାଲିଫର୍ଣ୍ଣିଆରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି। ଜରୁରୀ ପରିସ୍ଥିତି ଲାଗୁ କରାଯାଉଥିବାରୁ ପ୍ରଶାସନ ଲୋକଙ୍କୁ ଗୋଟିଏ ସ୍ଥାନରେ ଏକତ୍ରୀତ ହେବାକୁ ବାରଣ କରିଛି।

କାଲିଫର୍ଣ୍ଣିଆରେ କରୋନା ପ୍ରଥମ ମୁଣ୍ଡ ପ୍ଲେସର କାଉଣ୍ଟିରେ ନେଇଛି। ୱାଶିଂଟନ ବାହାରେ କରୋନାରେ କାହାର ଜୀବନ ଯିବା ପ୍ରଥମ ଘଟଣା। ୱାଶିଂଟନରେ ଏଯାଏ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଏହି ଘାତକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କାଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ପରେ ଗଭର୍ଣ୍ଣର ଗାଭିନ ନ୍ୟୁସମ ଏଠାରେ ଜରୁରୀ ପରିସ୍ଥିତି ଲାଗୁ ସମ୍ପର୍କରେ ଘୋଷଣା କରିଛନ୍ତି।

ଏଥିସହ ସ୍ଥାନୀୟ ପ୍ରଶାସନକୁ କରୋନା ରୋଗୀଙ୍କୁ ଚିହ୍ନଟ କରି ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ୱାଶିଂଟନ ଓ କାଲିଫର୍ଣ୍ଣିଆ ବ୍ୟତୀତ ଲସ ଆଞ୍ଜେଲସ କାଉଣ୍ଟିରେ ବି ୬ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ସେହିପରି ଇଟାଲୀରୁ ଫେରିଥିବା ୩ ଜଣଙ୍କୁ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି।

By amfnews

Related Post