ଭୁବନେଶ୍ୱର : କରୋନା କବଳରେ ପେଷି ହୋଇ ଯାଇଛି ପଲ୍ଲୀରୁ ସହର। ଉତ୍ସବମୁଖର ହୋଇପାରିନି ପରିବେଶ। ଏଥର ପାର୍ବଣ ଆଲୁଅମାଳାର ରଙ୍ଗ ମାଖିନି କି ସୁଦୃଶ୍ୟ ତୋରଣରେ ଆଖି ଲାଖିଯାଉନି। ମା’ ଦେବୀ ଦୁର୍ଗା ଯଦିଓ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି, କିନ୍ତୁ ମା’-ଭକ୍ତଙ୍କ ଭେଟଘାଟର ସୁଯୋଗ ନାହିଁ। କରୋନା ସଂକ୍ରମଣ ବଢ଼ିବା ଆଶଙ୍କାରେ ପ୍ରଶାସନ ଭକ୍ତ ଓ ଭଗବାନଙ୍କ ମଧ୍ୟରେ କଟକଣାର ବାଡ଼ ପକାଇ ଦେଇଛି। ସମଗ୍ର ରାଜ୍ୟରେ ୨୬ଶହରୁ ଅଧିକ ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିଲେ ହେଁ ଏଥର ବିନା ଆଡ଼ମ୍ବର ଓ ଚାକଚକ୍ୟରେ ପୂଜା ହୋଇଛି। କିଛି ପୂଜା ମଣ୍ଡପ ଏଥର ମୃଣ୍ମୟୀ ମୂର୍ତି ନଗଢ଼ି କେବଳ ଘଟ ପୂଜା କରିଛନ୍ତି।
କେବଳ ଭୁବନେଶ୍ବର ଓ କଟକରେ ୩୨୫ରୁ ଅଧିକ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବାବେଳେ ଏହି ଦୁଇ ସହରରେ ରୁପା ମେଢ଼ ସହ ପୂଜା ବଜେଟ୍ ହିସାବକୁ ନେଲେ ୫୦ କୋଟି ଅତିକ୍ରମ କରିଯାଏ। ଏଥିସହ ରାଜଧାନୀର ଅନ୍ୟ ପୂଜା ମଣ୍ଡପଗୁଡ଼ିକର ବଜେଟ୍ ପ୍ରାୟ ୫୦ କୋଟି ଛୁଇଁଯାଏ। ସମଗ୍ର ରାଜ୍ୟରେ ପୂଜା ବଜେଟ୍ ୧୦୦ କୋଟିରୁ ଅଧିକ ହେଉଥିଲେ ହେଁ ଦୁର୍ଗତିନାଶିନୀଙ୍କ ପୂଜା ଏଥର ସମଗ୍ର ରାଜ୍ୟରେ ୧୦ କୋଟି ବି ଅତିକ୍ରମ କରି ନାହିଁ ବୋଲି ଏକ ଆକଳନରୁ ଜଣାପଡ଼ିଛି।
କଟକ ଚାନ୍ଦି ମେଢ଼ ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ ଏଠାରେ ୧୬୦ରୁ ଅଧିକ ପୂଜା ମଣ୍ଡପରେ ପୂଜା କରାଯାଏ। ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁମାନେ ଏଠାରେ ଚାନ୍ଦି ମେଢ଼ରେ ସୁସଜ୍ଜିତ ପ୍ରଭୁଙ୍କୁ ଦେଖିବାକୁ ଭିଡ଼ ଲାଗେ। ଏହାବ୍ୟତୀତ ରାଜଧାନୀରେ ପ୍ରମୁଖ ପୂଜାମଣ୍ଡପର ଆଖିଦୃଶିଆ ତୋରଣ ଦେଖିବାକୁ ବି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକଙ୍କ ସମାଗମ ହୁଏ। ଷଷ୍ଠୀରୁ ଏଠାରେ ଭିଡ଼ ଆରମ୍ଭ ହୋଇଯାଉଥିଲେ ହେଁ ଏଥର ପୂଜାରେ ଜନଶୂନ୍ୟ ହୋଇଯାଇଛି ରାଜଧାନୀ।
ଜିଲ୍ଲା ଭିତ୍ତିରେ ସର୍ବାଗ୍ରେ ରହେ ବାଲେଶ୍ବର। ଏଠାରେ ୨୯୦ରୁ ଅଧିକ ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହୁଏ। ଏହାବ୍ୟତୀତରେ ଗଞ୍ଜାମ ଓ ଭଞ୍ଜନଗରକୁ ମିଶାଇ ୧୯୦ରୁ ଊର୍ଧ୍ବ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହୁଏ। କେନ୍ଦ୍ରାପଡ଼ାରେ ୧୬୫ରୁ ଊର୍ଧ୍ବ, ଯାଜପୁରରେ ୧୪୫ରୁ ଊର୍ଧ୍ବ, ବଲାଙ୍ଗିରରେ ୯୦ରୁ ଊର୍ଧ୍ବ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହୁଏ। ଏହାବ୍ୟତୀତ କଟକର କଟକ ଚଣ୍ଡୀ, ଗଞ୍ଜାମରେ ଭୈରବୀ, ତାରାତାରିଣୀ, ନାରାୟଣୀ, ସିଂହାସିନୀ, ଯାଜପୁରରେ ବିରଜା, ଘଟଗାଁରେ ମା’ ତାରିଣୀ, ଖୋର୍ଧା ବାଣପୁରର ଭଗବତୀ, ପୁରୀର ବାଟମଙ୍ଗଳା, ସମ୍ବଲପୁରର ସମଲେଶ୍ବରୀ, ଜଗତସିଂହପୁରରେ ଝଙ୍କଡ଼ ସାରଳା ପୀଠରେ ଭକ୍ତଙ୍କ ବିପୁଳ ସମାଗମ ହୁଏ। ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଅଧିଷ୍ଠାତ୍ରୀ ଦେବୀ ଓ ଶକ୍ତିପୀଠରେ ଅନୁରୂପ ଭିଡ଼ ଦେଖିବାକୁ ମିଳେ। ମାତ୍ର କରୋନା ପାଇଁ ମନ୍ଦିର ପ୍ରବେଶ ଉପରେ ରୋକ୍ ଲାଗିଥିବାରୁ ଏଥର ଦେବୀପୀଠ ବି ଶୂନ୍ଶାନ୍ ରହିଛି।